ବିଜେଡି-ବିଜେପି କର୍ମୀ ଧସ୍ତାଧସ୍ତି
ସୁନ୍ଦରଗଡ: ହେମଗିରି ବ୍ଲକ ମନୋହରପୁରସ୍ଥିତ ଓପିଜିସି କୋଇଲା ଖଣି ପ୍ରକଳ୍ପରୁ ରେଳଯୋଗେ କୋଇଲା ପରିବହନର ଉଦଘାଟନ ସଭାରେ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ବିଜେଡି-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ସଭାରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ତଳସରା ବିଧାୟକ ଭବାନୀଶଙ୍କର ଭୋଇ ଉପସ୍ଥିତ ଥିଲେ । ମନ୍ତ୍ରୀଙ୍କ ଭାଷଣ ପରେ ବିଧାୟିକା କୁସୁମ ଟେଟେ ବକ୍ତବ୍ୟ ରଖି ବିସ୍ଥାପିତ ଅଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା କଥା ଉଠାଇଥିଲେ । ଲୋକେ ଭିଟାମାଟି, ଜମି ହରାଉଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତି କି ଅନ୍ୟ ସୁବିଧା ସୁଯୋଗ ଦିଆଯାଉନଥିବା ଅଭିଯୋଗ କରିଥିଲେ । ବିଧାୟିକାଙ୍କ ବକ୍ତବ୍ୟ ମଝିରେ ତାଙ୍କ ସମର୍ଥକମାନେ କୁସୁମଙ୍କ ଜିନ୍ଦାବାଦ ନାରା ଦେବାରୁ ମନ୍ତ୍ରୀ କ୍ୟାପଟେନ ମିଶ୍ର ସଭାରୁ ଉଠି ଚାଲିଯାଇଥିଲେ । ଏଥିରେ ଅସନ୍ତୋଷ ପ୍ରକାଶ କରି କୁସୁମଙ୍କ ସମର୍ଥକ ଓ ବିଜେପି କର୍ମୀମାନେ ମନ୍ତ୍ରୀ ଗୋବ୍ୟାକ ନାରା ଦେଇଥିଲେ । ଯାହାକୁ ଉପସ୍ଥିତ ବିଜେଡି କର୍ମୀ ବିରୋଧ କରିଥିଲେ । ଏହା ପରେ ଦୁଇଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏପରିକି ସଭାସ୍ଥଳରୁ ତଳକୁ ଓହ୍ଲାଇ ଆସିବ କୁସୁମ ଟେଟେ ବିଜେଡି ଉପରେ ରୋଷ ଝାଡ଼ୁଥିବା ଦେଖାଯାଇଥିଲା । ବରିଷ୍ଠ ପୁଲିସ ଅଧିକାରୀମାନେ ବୁଝାସୁଝା କରି ସ୍ଥିତି ନିୟନ୍ତ୍ରଣକୁ ନେଇଥିଲେ ।
Powered by Froala Editor