ଅକ୍ଟୋବର ଦ୍ବିତୀୟ ସପ୍ତାହ ପ୍ରାରମ୍ଭରୁ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବ ମୌସୁମି ବାୟୁ
ଭୁବନେଶ୍ବର : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଦୁର୍ବଳ ରହିଛି। ସେପ୍ଟେମ୍ବର ୩୦ରେ ମୌସୁମି ଋତୁ ଶେଷ ହେଉଥିବା ବେଳେ ଅକ୍ଟୋବର ପ୍ରଥମ ସପ୍ତାହ ଶେଷ ସୁଦ୍ଧା କିମ୍ବା ଦ୍ବିତୀୟ ସପ୍ତାହ ପ୍ରାରମ୍ଭରୁ ଓଡ଼ିଶାରୁ ମୌସୁମି ବାୟୁ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୧.୧ ମି.ମି. ବର୍ଷା ରେକର୍ଡ କରାଯାଇଛି। କଟକର ବାଙ୍କୀ-ଡମପଡ଼ା ବ୍ଲକ୍ରେ ସର୍ବାଧିକ ୪୫ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ୧୨ଟି ବ୍ଲକ୍ରେ ୧୦ମି.ମି.ରୁ ଅଧିକ ବର୍ଷା ହୋଇଛି। ଜିଲା ହାରାହାରି ବର୍ଷା ମଧ୍ୟରେ କଟକରେ ସର୍ବାଧିକ ୯.୫ମି.ମି, ପୁରୀରେ ୬.୩ମି.ମି, ଗଜପତିରେ ୪.୯ମି.ମି, ଖୋରଧାରେ ୨.୯ ମି.ମି, ଢେଙ୍କାନାଳରେ ୨.୫ମି.ମି, କୋରାପୁଟରେ ୨.୪ମି.ମି ଏବଂ ମାଲକାନଗିରିରେ ୧.୯ମି.ମି ବର୍ଷା ହୋଇଛି। ସେପ୍ଟେମ୍ବର ୧ରୁ ୨୯ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୩୧୬.୨ ମି.ମି ବର୍ଷା ହୋଇଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ନେଇ ୟେଲୋୱାର୍ଣ୍ଣିଂ ଦିଆଯାଇଛି।
Powered by Froala Editor