ଓଡିଶା ଆବାସ ଯୋଜନା ଘରେ ସର୍ଭେ ନମ୍ବର ଲେଖି ଚାଲି ଯାଉଛନ୍ତି ଆନ୍ଧ୍ର ଅଧିକାରୀ
ରାୟଗଡ଼ :ଗଜପତି ଜିଲା ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାୟତର ସୀମାନ୍ତବର୍ତ୍ତୀ ଗ୍ରାମ ମାଣିକପାଟଣାରେ ଜନଗଣନାକୁ କେନ୍ଦ୍ର କରି ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନ ମଧ୍ୟରେ ଚାଲିଥିବା ବିବାଦ ଏବେ ନୂଆ ମୋଡ ନେଇଛି । ଶୁକ୍ରବାର ସନ୍ଧ୍ୟାରେ ଆନ୍ଧ୍ର ଅଧିକାରୀମାନେ ଗ୍ରାମରେ ପହଞ୍ଚି ଜୋର ଜବରଦସ୍ତ ଘରଗୁଡ଼ିକରେ ସର୍ଭେ ନମ୍ବର ଲେଖିବା ସହ ଗ୍ରାମବାସୀଙ୍କୁ ତାଗିଦ କରିବା ପରେ ସୀମାନ୍ତ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଏବେ ଗ୍ରାମର ବହୁ ଘରେ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଜନଗଣନା ସର୍ଭେ ନମ୍ବର ଲେଖାଯାଇଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ମାଣିକପାଟଣା ଗ୍ରାମରେ ୪୭ ପରିବାର ବସବାସ କରୁଛନ୍ତି। ଗ୍ରାମରେ ରହିଥିବା କିଛି ପରିବାର ଓଡ଼ିଶା ସପକ୍ଷରେ ଥିବାବେଳେ ଆଉ କିଛି ପରିବାର ଆନ୍ଧ୍ର ସପକ୍ଷରେ ରହିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଆନ୍ଧ୍ରର କିଛି ଅଧିକାରୀ ହଠାତ୍ ଗ୍ରାମରେ ପହଞ୍ଚି ୨୨ଟି ଘରେ ଆନ୍ଧ୍ର ସର୍ଭେ ନମ୍ବର ଲେଖିବା ସହ ଓଡ଼ିଶାର ଜନଗଣନା ପ୍ରକ୍ରିୟାରେ ସାମିଲ ନହେବାକୁ ଲୋକଙ୍କୁ ଧମକଚମକ ଦେଇଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଗ୍ରାମରେ ଯୁକ୍ତିତର୍କ ସହ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ଏହି ସବୁ ଘରେ ପୂର୍ବରୁ ଓଡ଼ିଶା ନମ୍ବର ଲେଖାଯାଇଥିବା ସତ୍ତ୍ବେ ଆନ୍ଧ୍ରର ଅଧିକାରୀମାନେ ସେଠାକୁ ଆସି ନିଜ ରାଜ୍ୟର ସର୍ଭେ ନମ୍ବର ଲେଖିଥିଲେ। ପୂର୍ବରୁ କିଛି ଘରେ ଲେଖାଯାଇଥିବା ଆନ୍ଧ୍ର ନମ୍ବରକୁ ଲିଭାଯାଇ ଓଡ଼ିଶା ନମ୍ବର ଲେଖାଯାଇଥିବାବେଳେ ଶୁକ୍ରବାର ଆନ୍ଧ୍ର କର୍ମଚାରୀମାନେ ସେଠାକୁ ଆସି ଘର ଗୁଡ଼ିକରେ ଓଡ଼ିଶା ନମ୍ବର ଥିବା ଲେଖାଥିବା ସତ୍ତ୍ବେ ସେଠାରେ ନିଜର ଏକ ନମ୍ବର ଲେଖିଦେଇଥିଲେ। ଏହାକୁ ନେଇ ଗ୍ରାମରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଶନିବାର ଅତିରିକ୍ତ ତହସିଲଦାର ଏବଂ ଜନଗଣନା କାର୍ଯ୍ୟର ଜିଲା ନୋଡାଲ ଅଧିକାରୀ ସୁଜିତ ପ୍ରଧାନ ମାଣିକପାଟଣା ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ଆଶ୍ଚର୍ଯ୍ୟର କଥା, ଓଡିଶାର ଅଧିକାରୀମାନେ ଉକ୍ତ ଗ୍ରାମକୁ ଯାଇ କେବଳ ଦେଖଣାହାରୀ ସାଜିଥିବା କୁହାଯାଉଛି। ଆନ୍ଧ୍ରର ସର୍ଭେ କର୍ମଚାରୀମାନେ ଆସି ଓଡିଶାର ଆବାସ ଯୋଜନା ଘରେ ସର୍ଭେ ନମ୍ବର ଲେଖି ଚାଲି ଯାଉଥିବା ଦେଖି ଓଡ଼ିଶାର ଅଧିକାରୀ ଏହାର ପ୍ରତିକାରମୂଳକ ପଦକ୍ଷେପ ନେବା ପରିବର୍ତ୍ତେ କେବଳ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇ ଚାଲିଯାଉଛନ୍ତି। ଆନ୍ଧ୍ର ଅଧିକାରୀମାନେ ଗ୍ରାମ ଭିତରେ ପଶି ସର୍ଭେ କର୍ମଚାରୀଙ୍କୁ ଉତ୍ସାହିତ ଓ ସହଯୋଗ କରି ଆସୁଥିବା ବେଳେ ଓଡିଶା ଅଧିକାରୀମାନେ ଗ୍ରାମ ଭିତରେ ପଶି ପାରୁ ନାହାନ୍ତି । ସେମାେନ କେବଳ ଗାଁ ମୁଣ୍ଡରେ କିଛି ଲୋକଙ୍କ ସହ ଆଲୋଚନା କରି ଫେରିଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମାଣିକପାଟଣା ଗ୍ରାମର ଅନେକ ଲୋକ ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ନେଉଥିବା ବେଳେ ଏବେ ଜନଗଣନା ସମୟରେ ନିଜର ପକ୍ଷ ରଖିବାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ମାଣିକପାଟଣାର ପ୍ରତିଟି ଘର ଆଗରେ ଓଡ଼ିଶା ଓ ଆନ୍ଧ୍ର ଉଭୟ ରାଜ୍ୟର ଜନଗଣନା ନମ୍ବର ଲେଖାଯାଇଥିବା ଦେଖିବାକୁ ମିଳିଛି।
Powered by Froala Editor