କାଳବୈଶାଖୀ: ୮ ପର୍ଯ୍ୟନ୍ତ ବଜ୍ରପାତ ସହିତ ଝଡ଼ବର୍ଷା
ଭୁବନେଶ୍ବର: ରାଜଧାନୀ ସମେତ ଉପକୂଳବର୍ତ୍ତୀ ଓଡ଼ିଶାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ଝଡ଼ବର୍ଷା ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହିତ ଝଡ଼ବର୍ଷା ହୋଇପାରେ। ଉତ୍ତର ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ପବନ ବହିପାରେ। ଉତ୍ତର ଉପକୂଳ ଓଡ଼ିଶା ସମୁଦ୍ର ଅଶାନ୍ତ ରହିବାରୁ ୫ତାରିଖ ମଧ୍ୟରେ ସମୁଦ୍ରକୁ ମତ୍ସ୍ୟଜୀବୀ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା
ଜାରି କରାଯାଇଛି।
ସେହିପରି ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ହ୍ରାସ ପାଇଛି। ବୌଦ୍ଧରେ ଦିନ ତାପମାତ୍ରା ସବୁଠୁ ଅଧିକ ୪୧.୬ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୪୧.୧, ଭବାନୀପାଟଣାରେ ୪୦.୫, ଟିଟିଲାଗଡ଼ରେ ୪୦.୨, ତାଳଚେର, ମାଲକାନଗିରି ଏବଂ ବରଗଡ଼ରେ ୪୦ଡିଗ୍ରୀ ଲେଖାଏଁ ରହିଛି। ଭୁବନେଶ୍ବରରେ ୩୫.୬ ଏବଂ କଟକରେ ୩୫.୮ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ସୂଚନା ଯେ, ଶନିବାର ଅପରାହ୍ଣରେ ବାଲେଶ୍ବର, ଚାନ୍ଦବାଲି, କଟକ, ଭୁବନେଶ୍ବର, ବାରିପଦା, ଝାରସୁଗୁଡ଼ା, କେନ୍ଦୁଝର, ବଲାଙ୍ଗିର, ସୁବର୍ଣ୍ଣପୁର, ଯାଜପୁର, ଢେଙ୍କାନାଳ, ନବରଙ୍ଗପୁର, ଜଗତସିଂହପୁର ଏବଂ ରାଉରକେଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ଖୋରଧା, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ପୁରୀ, ନୟାଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଏବଂ ସୁନ୍ଦରଗଡ଼ ଜିଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
Powered by Froala Editor