୪୦୦ ଲୋକଙ୍କୁ ଖାଇବାକୁ ଦେଇ ଶୁଦ୍ଧି ହେବେ ଜିତୁ ମୁଣ୍ଡା
ସାରା ଦେଶରେ ପାଟଣା ବ୍ଲକ୍ର ଡିଆନାଳୀ ଗ୍ରାମ ଜିତୁ ମୁଣ୍ଡାର ଘଟଣା ଖବରର ଶିରୋନାମା ପାଲଟିଛି। ୩ ମାସ ତଳେ ପ୍ରାଣ ହରାଇଥିବା ଭଉଣୀର ମୃତଦେହକୁ ଖୋଳି ବାହାର କରି ବ୍ୟାଙ୍କରେ ପହଞ୍ଚିବା ଘଟଣା ସାରା ବିଶ୍ୱରେ ଆଲୋଡ଼ନ କରିଛି । ଏହି ଘଟଣାରେ ରବିବାର ପୁଣି ଥରେ ଜିତୁ ମୁଣ୍ଡାର ପରିବାର ଶୁଦ୍ଧି ହେବେ ।
ତଦନୁସାରେ ରବିବାର ୪ଶହ ଲୋକଙ୍କୁ ନେଇ ପୁଣି ଶୁଦ୍ଧକ୍ରିୟା ପାଇଁ ପ୍ରସ୍ତୁତି କରାଯାଇଛି । ସାଇପଡ଼ିଶା, ବନ୍ଧୁବାନ୍ଧବ ଏବଂ ପରିବାର ଲୋକଙ୍କ ପାଇଁ ଭୋଜିଭାତର ବ୍ୟବସ୍ଥା କରାଯାଇଛି । ଭୋଜିରେ ହାଣ୍ଡିଆ ସହିତ କୁକୁଡ଼ା ମାଂସ, ଭାତ, ଡାଲମା ପ୍ରଭୃତି କରାଯିବାକୁ ଚୂଡ଼ାନ୍ତ ହୋଇଥିବା ଜିତୁ ଓ ତାଙ୍କ ଭାଇ ଶଙ୍କରା ମୁଣ୍ଡା କହିଛନ୍ତି ।
ଗତ ଜାନୁଆରୀ ୨୬ରେ ପେଟ ରୋଗ କାରଣରୁ କଲାରାଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ଆଦିବାସୀ ମୁଣ୍ଡା ସମ୍ପ୍ରଦାୟ ରୀତିନୀତି ଅନୁସାରେ ମୃତଦେହ ସଂସ୍କାର କରାଯାଇଥିଲା । ଶୁଦ୍ଧିକ୍ରିୟା କରାଯିବା ପରେ ନିଜର ସାଧ୍ୟ ଅନୁସାରେ ଗାଁ ସାଇପଡ଼ିଶାକୁ ଡାକି ଭୋଜି ଦେଇଥିଲେ ୨ ଭାଇ ।
ଭଉଣୀ କଲାରା ନାମରେ ମଲ୍ଲୀପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଥିବା ଏକାଉଣ୍ଟରେ ଗୋରୁ ବିକ୍ରି ହୋଇଥିବା ୧୯ ହଜାର ୩ଶହ ଟଙ୍କା ଜମା କରାଯାଇଥିଲା । ଏହି ଟଙ୍କା ଉଠାଇବାକୁ ନେଇ ବିବାଦ ଦେଖାଦେବାରୁ ଭାଇ ଜିତୁ ମୁଣ୍ଡା ଭଉଣୀ ମୃତ୍ୟୁର ପ୍ରମାଣ ଦେବାକୁ ଯାଇ ମୃତଦେହକୁ ମାଟି ତଳୁ ଖୋଳି କାନ୍ଧରେ ବୋହି ଗତ ବ୍ୟାଙ୍କରେ ପହଞ୍ଚିଥିଲେ । ଏହି ଅଭାବନୀୟ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।
Powered by Froala Editor