୬ ପର୍ଯ୍ୟନ୍ତ ଲାଗି ରହିବ କାଳବୈଶାଖୀ ବର୍ଷା
ଭୁବନେଶ୍ବର: ଗତ କିଛିଦିନ ଧରି ରାଜ୍ୟରେ ଲାଗି ରହିଥିବା ଅସହ୍ୟ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କାଳବୈଶାଖୀ ବର୍ଷା ପାଇଁ ଗୁରୁବାର ତାପମାତ୍ରା ୨ ଡିଗ୍ରୀରୁ ଅଧିକ ହ୍ରାସ ପାଇଛି। ୪୦ ଡିଗ୍ରୀ ଉପରେ ମାତ୍ର ୭ ସହର ରହିଥିବାବେଳେ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚତାରେ ଏକ ଟ୍ରଫ୍ ଲାଇନ୍ ଦକ୍ଷିଣ-ପୂର୍ବ ଉତ୍ତର ପ୍ରଦେଶରୁ ଛତିଶଗଡ଼ ଦେଇ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଛି। ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୬ଦିନ ଅର୍ଥାତ୍ ମେ’ ୬ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଲାଗି ରହିବ। ଫଳରେ ଆସନ୍ତା ୩ଦିନ ମଧ୍ୟରେ ଦିନ ତାପମାତ୍ରାରେ ଆହୁରି ୨ ରୁ ୩ ଡିଗ୍ରୀ ହ୍ରାସ ପାଇବ। ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ ହେବ। ଏଥିପାଇଁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାକୁ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ଓ ପବନ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ କୁଆପଥର ବର୍ଷା ହେବା ନେଇ ସତର୍କ କରାଯାଇଛି। ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କେନ୍ଦୁଝର, ନବରଙ୍ଗପୁର, ଅନୁଗୋଳ, ଢେଙ୍କାନାଳ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ସୁନ୍ଦରଗଡ଼ ଜିଲାକୁ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି।
Powered by Froala Editor