ଚନ୍ଦନଯାତ୍ରାରେ ବିଶୃଙ୍ଖଳା: ଜଳକ୍ରୀଡ଼ା ନକରି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କଲେ ମହାପ୍ରଭୁ
ପୁରୀ : ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ଚନ୍ଦନଯାତ୍ରାରେ ଗୁରୁତର ବିଶୃଙ୍ଖଳା ଦେଖାଦେଇଛି। ଶୁଦ୍ଧ ସୁଆର ଓ ସିଂହାରୀ ସେବକଙ୍କ ମଧ୍ୟରେ ବିବାଦ ଯୋଗୁଁ ନରେନ୍ଦ୍ର ପୁଷ୍କରିଣୀରେ ରାତିଚାପ କରି ନ ପାରି ଫେରିବାକୁ ବାଧ୍ୟ ହୋଇଛନ୍ତି ମହାପ୍ରଭୁ। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି। ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସେଠାରେ ପହଞ୍ଚି ଦୁଇଗୋଷ୍ଠୀ ସେବକଙ୍କ ସହ ଆଲୋଚନା କରିଥିଲେ। ସେବକମାନେ ନିଜ ଜିଦ୍ରେ ଅଟଳ ରହିବାରୁ ମହାପ୍ରଭୁଙ୍କ ରାତ୍ରି ଜଳକ୍ରୀଡ଼ା ହୋଇପାରି ନଥିଲା। ଚନ୍ଦନଯାତ୍ରା ଇତିହାସରେ ଏହା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ଣ ୫ଟା ୩୦ରେ ଦାରୁବ୍ରହ୍ମଙ୍କ ଚଳନ୍ତି ବିଗ୍ରହ ମଦନ ମୋହନ, ରାମକୃଷ୍ଣ ଓ ଭୂଦେବୀ ଶ୍ରୀଦେବୀ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବିଜେ କରିଥିଲେ। ଅଧିକ ପବନ ହେଉଥିବାରୁ ଠାକୁରଙ୍କ ଦିନ ଚାପ କରାଯାଇ ନଥିଲା। ରାତିରେ ଜଳକ୍ରୀଡ଼ା ପାଇଁ ପ୍ରଭୁଙ୍କୁ ଆକର୍ଷଣୀୟ ବେଶ କରାଯାଇଥିଲା। ପାଳିଆ ସେବକମାନେ ଠାକୁରଙ୍କୁ ସୁସଜ୍ଜିତ ଡଙ୍ଗାକୁ ବିଜେ କରିଥିଲେ। ନୌବିହାର ପାଇଁ ବିଜେ କାହାଳୀ ବାଜିଥିଲା। ଡଙ୍ଗାରେ ଶୁଦ୍ଧ ସେବକ ରହିବାକୁ ନେଇ ସିଂହାରୀ ସେବକ ବିରୋଧ କରିଥିଲେ। ଏହାକୁ ନେଇ ଦୁଇଗୋଷ୍ଠୀ ସେବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ମହାପ୍ରଭୁ ଡଙ୍ଗା ଉପରେ ବହୁ ସମୟ ବସି ରହିଥିଲେ। ଏ ସମ୍ପର୍କରେ ଖବର ପାଇ ଶ୍ରୀଜଗନ୍ନାଥ ମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସେଠାକୁ ଯାଇ ଦୁଇ ସେବକଙ୍କ ସହ ଆଲୋଚନା କରିବା ସହ ଠାକୁରଙ୍କ ଜଳକ୍ରୀଡ଼ା କରାଇବାକୁ ଅନୁରୋଧ କରିଥିଲେ। ସେବକଙ୍କ ମଧ୍ୟରେ ବିବାଦ ନ ତୁଟିଵାରୁ ରାତି ୧ଟା ୩୫ରେ ମହାପ୍ରଭୁ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଜିଲାପାଳ ଶ୍ରୀ ପରିଡ଼ା ବୁଧବାର ଦୁଇଗୋଷ୍ଠୀ ସେବକଙ୍କ ସମେତ ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ମହାପ୍ରଭୁଙ୍କୁ ରାତି ଜଳକ୍ରୀଡ଼ା ବନ୍ଦ ଘଟଣା ସମ୍ପର୍କରେ ରିପୋର୍ଟ ମଗାଯାଇଛି। ରାତି ସୁଦ୍ଧା କୌଣସି ସେବକଙ୍କୁ ନୋଟିସ୍ କିମ୍ବା ନିଲମ୍ବନ କରାଯାଇନାହିଁ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏ ସମ୍ପର୍କରେ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରାଯାଇଛି। ଆବଶ୍ୟକ ସ୍ଥଳେ ବିଶୃଙ୍ଖଳିତ ସେବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Powered by Froala Editor