‘ପାଦପୂରଣ’ ପାଇଁ ଗିରିଜା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ୨୦୨୫ ବର୍ଷ ପାଇଁ ବିଭିନ୍ନ ଭାଷାରେ ସାରା ଭାରତର ବିଶିଷ୍ଟ ଲେଖକମାନଙ୍କୁ ଚୟନ କରାଯାଇଛି। ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ବିଶିଷ୍ଟ କବି ଗିରିଜା କୁମାର ବଳିୟାରସିଂ କବିତା ବିଭାଗ ପାଇଁ ମନୋନିତ ହୋଇଛନ୍ତି।
୨୦୨୦ ମସିହାରେ ପ୍ରକାଶିତ ଗିରିଜା କୁମାର ବଳିୟାରସିଂଙ୍କ କବିତା ସଂକଳନ ‘ପାଦପୂରଣ’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଛନ୍ତି। ଶ୍ରୀ ବଳୀୟାରସିଂହ ରାଜ୍ୟର ଜଣେ ଆଗଧାଡ଼ିର ବେଶ ଜଣାଶୁଣା କବି । ଜଣେ ଶବ୍ଦଭେଦୀ କାବ୍ୟପୁରୁଷ ଭାବରେ ସେ ଓଡ଼ିଶାର ସାରସ୍ୱତ ଜଗତରେ ସୁପରିଚିତ । "ଭାରତବର୍ଷ' କାବ୍ୟକୃତି ପାଇଁ ୨୦୦୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ । ୧୯୭୬ରୁ ୨୦୨୪ ମସିହା ଯାଏଁ ପ୍ରାୟ ଅର୍ଦ୍ଧ ଶତାବ୍ଦୀର ଅବଧି ମଧ୍ୟରେ ସେ ଆମକୁ ଦେଇସାରିଛନ୍ତି ୧୫ଟି କାବ୍ୟକୃତି । ଓଡ଼ିଆ ସନେଟ୍ ସାହିତ୍ୟରେ ସେ ଏକ ଅଭିନବ ଧାରାପ୍ରବାହର ପ୍ରବର୍ତ୍ତକ । ତାଙ୍କର ବହୁ ରଚନା ପାଠକଙ୍କୁ ବେଶ ବିମୁଗ୍ଧ କରି ଆସିଛି । ତାଙ୍କର ଏ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ପୁରସ୍କାର ଚୟନ ପାଇଁ ଜୁରି କମିଟି ପକ୍ଷରୁ ଜାନୁଆରି ମାସରୁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥର ଓଡ଼ିଆ ଭାଷା ପାଇଁ ଚୟନ କମିଟିରେ ବିଶିଷ୍ଟ ଲେଖିକା ଶ୍ରୀମତି ଗାୟତ୍ରୀ ସରାଫ, ଡ. ଜୟନ୍ତୀ ରଥ ଓ ବିଶିଷ୍ଟ ଲେଖକ ଶ୍ରୀ ଶ୍ୟାମା ପ୍ରସାଦ ଚୌଧୁରୀ ସାମିଲ ହୋଇଥିଲେ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, ମୈଥିଲି, କନ୍ନଡ଼, ଉର୍ଦ୍ଦୁ, କାଶ୍ମୀରୀ, ଇଂରାଜୀ ଆଦି ୨୪ଟି ଭାଷାରେ ଏହି ପୁରସ୍କାର ପ୍ରଦାନ କରାଯାଉଛି।
Powered by Froala Editor