ଚାଖି ଖୁଣ୍ଟିଆଙ୍କ ସ୍ମୃତିଚାରଣ ସଭା
ଭୁବନେଶ୍ୱର:ଇଂରେଜ ଶାସନର ଅନ୍ୟାୟ, ଶୋଷଣ ଓ ଦମନମୂଳକ ନୀତି ବିରୋଧରେ ଓଡ଼ିଶାର ମାଟିରୁ ଯେଉଁ ସ୍ୱାଧୀନତା ସଂଗ୍ରାମର ଜ୍ୱାଳା ଉତ୍ପନ୍ନ ହୋଇଥିଲା, ସେହି ସଂଗ୍ରାମର ଅଗ୍ରଣୀ ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ ମହାନ ସ୍ୱାଧୀନତା ସଂଗ୍ରାମୀ ଚନ୍ଦନ ହାଜୁରୀ ବା ଚାଖି ଖୁଣ୍ଟିଆ । ଜଗନ୍ନାଥ ମହାପ୍ରଭୁଙ୍କ ସେବାକୁ କେନ୍ଦ୍ର କରି ସାଧାରଣ ଲୋକଙ୍କୁ ଏକତ୍ରିତ କରି ଇଂରେଜ ଶାସନ ବିରୋଧରେ ସେ ଯେଉଁ ସଚେତନତା ଓ ସଂଗଠନ ଗଢ଼ି ତୋଳିଥିଲେ, ତାହା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ।
ସେହି ମହାନ ବରପୁତ୍ରଙ୍କ ସ୍ମୃତିରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ଚନ୍ଦନ ହାଜୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅଦ୍ୱିତୀୟ ଦେଶପ୍ରେମ, ବଳିଦାନ ଓ ସଂଗ୍ରାମମୟ ଜୀବନକୁ ସ୍ମରଣ କରାଯାଇଥିଲା । ଏହି ଅବସରରେ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ, ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସୂଚେତା ପ୍ରିୟଦର୍ଶିନୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
Powered by Froala Editor