ଜଳରୁ ବ୍ୟାପିଛି କାମଳ, ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ବୃଦ୍ଧି
ଖୋର୍ଦ୍ଧା: ଖୋର୍ଦ୍ଧା ଗୁରୁଜଙ୍ଗ ସ୍ଥିତ ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ କାମଳ ବ୍ୟାପିବା ଘଟଣାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତନାଘନା ପରେ କେନ୍ଦ୍ରୀୟ ଦଳ ପରିଦର୍ଶନ କରିଛନ୍ତି। ସେହିପରି କାମଳ ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ୫୪ ଥିବା ବେଳେ ଏହା ୮୧କୁ ବୃଦ୍ଧି ପାଇଛି। ତେବେ ସଂଗ୍ରହ ହୋଇଥିବା ଜଳ ନମୁନା ପଜିଟିଭ ଆସିବା ପରେ ଜଳରୁ କାମଳ ବ୍ୟାପିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦାରଖ ଜାରି ରହିଥିବା ବେଳେ ୱାଟକୋ ବିବରଣୀକୁ ଅପେକ୍ଷା ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
ଗତକାଲି ନବୋଦୟ ବିଦ୍ୟାଳୟର ଭୋପାଳ ଡେପୁଟି କମିସନର ଆସି ଏଠାରେ ଥିବା ବେଳେ ଆଜି ନବୋଦୟ ବିଦ୍ୟାଳୟ କେନ୍ଦ୍ରୀୟ ସମିତିର କମିସନର ରାଜେଶ ଲେଖାନୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ପହଞ୍ଚିଥିଲେ। ସ୍ଥିତି ପରଖିବା ପରେ କମିସନର ସାତଦିନ ପାଇଁ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି। ବିଦ୍ୟାର୍ଥୀଙ୍କୁ ଘରକୁ ଯିବାକୁ କୁହାଯାଇଛି। ବିଦ୍ୟାଳୟ ଖୋଲିବା ପୂର୍ବରୁ କେନ୍ଦ୍ରୀୟ କମିଟି ପ୍ରତିନିଧିଙ୍କ ତତ୍ତ୍ବାବଧାନରେ ବିଦ୍ୟାଳୟ ପରିବେଶକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବ। ଆଉ ଥରେ ଜଳ ପରୀକ୍ଷଣ ପାଇଁ ଖୋର୍ଦ୍ଧା ଜିଲା ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଥିବା ଡେପୁଟି କମିସନର ଆର.କେ ବର୍ମା ସୂଚନା ଦେଇଛନ୍ତି।
ସ୍ବାସ୍ଥ୍ୟ ବିଭାଗ, ୱାଟକୋ, ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ କମିସନର ବୈଠକ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସଞ୍ଜୟ ରାୟଙ୍କ ସହ ରୋଗର କାରଣ ଓ ପ୍ରତିକାର ବିଷୟରେ ଆଲୋଚନା କରାଯାଇଥିଲା। ବିଦ୍ୟାଳୟରେ ନିର୍ମାଣ ଚାଲିଥିବା ବେଳେ ଅଜାଣତରେ ଜେସିବି ଦ୍ୱାରା ଭୂତଳ ଜଳ ପାଇପ ଲାଇନ ଫାଟି ଜଳ ଦୂଷିତ ହୋଇ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ଅଧ୍ୟକ୍ଷା କବିତା କର। ଜିଲାର ସାତ ଜଣିଆ ସ୍ବାସ୍ଥ୍ୟ ବିଭାଗ ଦଳ ସହ ୱାଟକୋ ପକ୍ଷରୁ ଜଳ ବିଶୋଧନ କରାଯିବା ସହ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରାଯାଇଛି।
Powered by Froala Editor