ଷ୍ଟିକର୍ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା
ଖାଦ୍ୟ ଓ ପାନୀୟରେ ଅସାବଧାନତା ଅନେକ ସମୟରେ ମହଙ୍ଗା ପଡ଼ିପାରେ। ନିକଟରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଫଳ ଓ ପନିପରିବା ଉପରେ ଷ୍ଟିକର୍ ଲଗାଇବାକୁ ନେଇ ଏକ ଚେତାବନୀ ଜାରି କରିଛନ୍ତି। କହିଛନ୍ତି ଯେ, ଏହି ଷ୍ଟିକର୍ଗୁଡ଼ିକର ପଛପଟେ ବ୍ୟବହୃତ ଅଠାଜାତୀୟ ପଦାର୍ଥ ଖାଦ୍ୟ ଉପଯୋଗୀ ନୁହେଁ, ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।
ଆମେ ପ୍ରାୟତଃ ଫଳ ତଥା ପନିପରିବା କିଣିବା ସମୟରେ ସେଥିରେ ଲାଗିଥିବା ଷ୍ଟିକର୍ଗୁଡ଼ିକୁ ଅଣଦେଖା କରିଦେଉ। ତେବେ ଏହି ଛୋଟ ଭୁଲ୍ ସମସ୍ୟା ସୃଷ୍ଟି କରିପାରେ। ବିଶେଷଜ୍ଞଙ୍କ ମତରେ, ଷ୍ଟିକର୍ଗୁଡ଼ିକରେ ବ୍ୟବହୃତ ଗ୍ଲୁ, କାଳି ଓ ଅନ୍ୟ ରାସାୟନିକ ପଦାର୍ଥ ଶରୀର ପାଇଁ ନିରାପଦ ନୁହେଁ। ତେଣୁ ଖାଇବା ପୂର୍ବରୁ ସେଗୁଡ଼ିକୁ ବାହାର କରିବା ଦରକାର। ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଯଦି ଭୁଲ୍ବଶତଃ ଏଥିରୁ ଛୋଟ ଖଣ୍ଡଟିଏ ଶରୀର ଭିତରକୁ ଯାଏ, ତେବେ ବିରାଟ କ୍ଷତି କରିପାରେ। ତେଣୁ ସତର୍କତା ଅବଲମ୍ବନ କରିବା ଭଲ।
ଏହି ବିପଦ ଏଡ଼ାଇବାର ସବୁଠାରୁ ସହଜ ଉପାୟ ହେଉଛି, ଖାଇବା ପୂର୍ବରୁ ଫଳ ଓ ପନିପରିବାକୁ ଭଲ ଭାବେ ଧୋଇ ତା’ ଉପରେ ଲାଗିଥିବା ଷ୍ଟିକର୍ଗୁଡ଼ିକୁ କାଢ଼ିଦେବା। ଉଷୁମ ପାଣିରେ ଅଳ୍ପ ପରିମାଣର କ୍ଲୋରିନ୍ ମିଶାଇ ତାହାକୁ ସଫା କରାଯାଇପାରିବ।
Powered by Froala Editor