ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା
ଗୋଟିଏ ପାଣି ବୋତଲ ପାଇଁ ଅତିରିକ୍ତ ୨ ଟଙ୍କା ନେବା ଉତ୍ତରପ୍ରଦେଶର ହାଥରସରେ ଏକ ରେସ୍ତୋରାଁ ପାଇଁ ମହଙ୍ଗା ପଡ଼ିଛି । ବିବିସିଏନ୍ ରୟାଲ ରେସ୍ତୋରାଁ ଓ ପାର୍ଟି ହଲ୍ ରେ ସର୍ବାଧିକ ଖୁଚୁରା ମୂଲ୍ୟ ନିର୍ଦ୍ଧାରିତ ୧୮ ଟଙ୍କାର ଗୋଟିଏ ପାଣି ବୋତଲ ପାଇଁ ରେସ୍ତୋରାଁ ୨୦ ଟଙ୍କା ନେଉଥିଲା। ଏଥିସହ ଅଲଗା ଜିଏସ୍ଟି ମଧ୍ୟ ଲାଗୁ କରିଥିଲା । ଅତିରିକ୍ତ ଶୁଳ୍କ ନେଉଥିବାରୁ ରେସ୍ତୋରାଁ ବିରୋଧରେ ଉପଭୋକ୍ତା ଆୟୋଗରେ ଅଭିଯୋଗ ଦାଖଲ ହୋଇଥିଲା । ଦଣ୍ଡ ବାବଦ ଉପଭୋକ୍ତା କମିଶନ ଏହାକୁ ୧.୦୬ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲା ଉପଭୋକ୍ତା କଲ୍ୟାଣ ପାଣ୍ଠିରେ ୧ ଲକ୍ଷ ଟଙ୍କା ଜମା କରିବାକୁ ଆୟୋଗ ରେସ୍ତୋରାଁକୁ ନିର୍ଦ୍ଦେଶ ଦେଇଛନ୍ତି । ଓକିଲଙ୍କ ଶୁଳ୍କ ବାବଦ ୫ ହଜାର ଓ ମାନସିକ ସ୍ତରରେ ସେ ପାଇଥିବା କଷ୍ଟର କ୍ଷତିପୂରଣ ରୂପେ ୧ ହଜାର ଟଙ୍କା ପୈଠ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ଓକିଲ ଅଙ୍କୁର ଅଗ୍ରୱାଲଙ୍କ ଅନୁସାରେ, ମାମଲା ସାମ୍ନାକୁ ଅଣାଯିବା ପରେ ରେସ୍ତୋରାଁ ଅତିରିକ୍ତ ରାଶି ଫେରାଇବାକୁ ମନା କରିଦେଲା । ଏଥିସହ ଯୁକ୍ତି ଦର୍ଶାଇଲା ‘ଆମ ହୋଟେଲ ବଡ଼ ହୋଇଥିଲେ, ଏହି ପାଣି ବୋତଲ ପାଇଁ ଆମେ ୫୦ ଟଙ୍କା ଚାର୍ଜ କରିଥାନ୍ତୁ ।’ ତା’ପରେ ରେସ୍ତୋରାଁକୁ ଏକ ଓକିଲ ନୋଟିସ୍ ପଠାଗଲା, କିନ୍ତୁ ରେସ୍ତୋରାଁ କୌଣସି ପ୍ରତିକ୍ରିୟା ଦେଲା ନାହିଁ । ମାମଲା ଅଲିଗଡ଼ ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଆୟୋଗକୁ ପଠାଗଲା । ଏକାଧିକ ନୋଟିସ୍ ସତ୍ତ୍ଵେ ରେସ୍ତୋରାଁ ତରଫରୁ କେହି ଆୟୋଗରେ ହାଜର ହେଲେ ନାହିଁ । ଶେଷରେ ଆୟୋଗ ରେସ୍ତୋରାଁ ଅନୁପସ୍ଥିତିରେ ଶୁଣାଣି କଲେ ।
Powered by Froala Editor