ଦୀପାବଳି ଉପହାର : ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍
ଦୁର୍ଗାପୂଜା ଓ ଦଶହରା ପୂର୍ବରୁ ରେଳ କର୍ମଚାରୀଙ୍କୁ ମିଳିବ ଅଧିକ ଅଢ଼େଇ ମାସର ଦରମା। ରେଳବାଇର ପ୍ରଦର୍ଶନକୁ ସ୍ୱୀକୃତି ଦେଇ ପ୍ରାୟ ୧୧.୪୧ ଲକ୍ଷ ଯୋଗ୍ୟ ରେଳ କର୍ମଚାରୀଙ୍କୁ ୭୮ ଦିନର ଦରମା ସହ ସମାନ ଉତ୍ପାଦକତା ଲିଙ୍କଡ୍ ବୋନସ୍ (ପିଏଲ୍ବି) ପ୍ରଦାନ କରିବ। ସେଥିପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏଥିପାଇଁ ମୋଟ ୨,୦୦୯.୬୧ କୋଟି ଟଙ୍କା ବ୍ୟୟ କରାଯିବ।
ସରକାରଙ୍କ ଅନୁମୋଦନ ଅନୁଯାୟୀ, ଯୋଗ୍ୟ କର୍ମଚାରୀଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ସର୍ବାଧିକ ୧୭,୯୫୧ ଟଙ୍କା ବୋନସ୍ ମିଳିବ। ଏହି ବୋନସ୍ର ଲାଭ ଗେଜେଟେଡ୍ ଅଧିକାରୀଙ୍କୁ ଛାଡ଼ି ଟ୍ରାକ୍ ମେଣ୍ଟେନର, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍ଙ୍କ ସମେତ ବିଭିନ୍ନ ବର୍ଗର ଗ୍ରୁପ୍-ସି କର୍ମଚାରୀମାନେ ପାଇବେ।
୨୦୨୬ ଅକ୍ଟୋବର ୧୪ ତାରିଖରେ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ୍ (Productivity Linked Bonus)କୁ ମଞ୍ଜୁରୀ ମିଳିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ ବୈଠକ ପରେ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦିନରାତି ପରିଶ୍ରମ କରୁଥିବା ରେଳ କର୍ମଚାରୀଙ୍କ ପାଇଁ ଏହା ଦୀପାବଳି ଉପହାର । ପର୍ବପର୍ବାଣୀ ସମୟରେ ମଧ୍ୟ ଅନେକ କର୍ମଚାରୀ ନିଜ ପରିବାରଠାରୁ ଦୂରରେ ରହି ରେଳ ଧାରଣା, ଟ୍ରେନ୍ ଓ ୱାର୍କସପ୍ରେ କାର୍ଯ୍ୟ କରିଥାନ୍ତି ।
Powered by Froala Editor