୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି
ପୋଲିସ ବିଭାଗ ସନ୍ଧାନୀ କୁକୁର ଷ୍ଟେଫିର ଅକ୍ଟୋବର ୧୧ ତାରିଖରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ୱାଶିମ୍ରେ ଶରଦ ଷ୍ଟେଫିକୁ ପ୍ରଶିକ୍ଷଣ ଦେବା ସହ ଦୀର୍ଘ ବର୍ଷ ଧରି ତା’ ସହ କାମ କରିଥିଲେ। ଦୁହିଁଙ୍କ ସମ୍ପର୍କ କେବଳ କର୍ତ୍ତବ୍ୟ ମଧ୍ୟରେ ସୀମିତ ନଥିଲା। ଦୀର୍ଘ ୧୧ ବର୍ଷ ଧରି ଏକାଠି ସମୟ ବିତାଇବା ଓ କାର୍ଯ୍ୟ ସମୟରେ ପରସ୍ପର ଉପରେ ଭରସା କରିବା ଯୋଗୁଁ ଷ୍ଟେଫି ଶରଦଙ୍କ ପରିବାରର ଏକ ଅଂଶ ପାଲଟିଯାଇଥିଲା।
ୱାଶିମ୍ ପୋଲିସ ମୁଖ୍ୟାଳୟରେ ଷ୍ଟେଫିର ମୃତ୍ୟୁ ପରେ ତାକୁ ସମ୍ମାନର ସହ ବିଦାୟ ଦିଆଯାଇଥିଲା। ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଦଳରେ କାର୍ଯ୍ୟ କରୁଥିବା ଷ୍ଟେଫିକୁ ପୋଲିସ ପକ୍ଷରୁ ପୂର୍ଣ୍ଣ ସମ୍ମାନର ସହ ଶେଷ ବିଦାୟ ଦିଆଯାଇଛି। ଏହି ଦୃଶ୍ୟ ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ଭାବବିହ୍ୱଳ କରିଦେଇଥିଲା।
ସବୁଠାରୁ ଅଧିକ ଭାଙ୍ଗିପଡ଼ିଥିଲେ ଷ୍ଟେଫିର ହ୍ୟାଣ୍ଡଲର ଶରଦ ୱଟାନେ। ତାକୁ ପ୍ରଶିକ୍ଷଣ ଦେଇଥିବା ହ୍ୟାଣ୍ଡଲର ଶରଦ ୱଟାନେ ନିଜ କୋହ ସମ୍ଭାଳି ପାରିନଥିଲେ। ଷ୍ଟେଫିକୁ ନିଜ ପିଲା ପରି ଭଲ ପାଉଥିବା ଶରଦଙ୍କ ଆଖିରୁ ଝରିପଡ଼ିଥିଲା ଲୁହ। ଷ୍ଟେଫିକୁ ମନେ ପକାଇ ସେ ଭାବୁକ ହୋଇପଡିଥିଲେ ।
Powered by Froala Editor