ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍ ଜାରି
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ସୋମବାର ବିଜେପି ତରଫରୁ ଆଇନଗତ ନୋଟିସ୍ ଜାରି କରାଯାଇଛି। ନିକଟରେ ଓମାର ବିଜେପି ବିରୋଧରେ ଏକ ଅଭିଯୋଗ ଆଣିଥିଲେ। ବିଜେପି ତାଙ୍କ ଦଳ ନ୍ୟାସନାଲ୍ କନ୍ଫରେନ୍ସର ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି। ନ୍ୟାସନାଲ୍ କନ୍ଫରେନ୍ସ ଛାଡ଼ି ବିଜେପିରେ ଯୋଗ ଦେବାକୁ ବିଧାୟକଙ୍କୁ ୨୦ରୁ ୩୦ କୋଟି ଟଙ୍କା ପର୍ଯ୍ୟନ୍ତ ଯଚାଯାଉଛି। ଏଥିସହ ସେମାନଙ୍କୁ ମନ୍ତ୍ରିପଦ ଓ ଜାମ୍ମୁ-କାଶ୍ମୀରକୁ ପୁନର୍ବାର ରାଜ୍ୟ ପାହ୍ୟା ପ୍ରଦାନ ନେଇ ଲୋଭ ଦେଖା ଯାଉଛି।ଏହାକୁ ନେଇ ଓମାର ଅବଦୁଲ୍ଲାଙ୍କୁ ଜାମ୍ମୁ-କାଶ୍ମୀର ବିଜେପି ସଭାପତି ସତ୍ ଶର୍ମାଙ୍କ ତରଫରୁ ବିଜେପି ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ସନୀଲ ଆଇନଗତ ନୋଟିସ୍ ପଠାଇଛନ୍ତି। ଓମାର ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ ଓ ଏହାଦ୍ବାରା ବିଜେପିର ସମ୍ମାନରେ ଆଞ୍ଚ ଆସିଥିବା ନୋଟିସରେ ଦର୍ଶାଯାଇଛି। ଏଥିପାଇଁ ଓମାର ଅବଦୁଲ୍ଲା ଆସନ୍ତା ୭ ଦିନ ମଧ୍ୟରେ ସର୍ବସାଧାରଣରେ କ୍ଷମା ମାଗିବାକୁ ନୋଟିସ୍ରେ ଦାବି କରାଯାଇଛି। ଏଥିସହ ଭବିଷ୍ୟତରେ ଓମାର ଏପରି ଭିତ୍ତିହୀନ ଦାବି ନ କରିବାକୁ ନୋଟିସ୍ରେ ଚେତାବନୀ ଦିଆଯାଇଛି। ଯଦି ନିର୍ଦ୍ଧାରିତ ସମୟରେ ଓମାର ସର୍ବସାଧାରଣରେ କ୍ଷମା ପ୍ରାର୍ଥନା ନ କରନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ୍ରେ ଦର୍ଶାଯାଇଛି।
Powered by Froala Editor