ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ
ନୂଆଦିଲ୍ଲୀ: ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଓ ସେଥିରୁ ଦଳାଚକଟା ହୋଇଥିଲା। ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ଅବସରରେ ଶିବ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ବିପୁଳ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିଥିଲା ବେଳେ ସକାଳ ପ୍ରାୟ ୬.୪୫ ମିନିଟରେ ଏହି ଘଟଣା ଘଟିଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ଲକ୍ଷୀସରାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲକ୍ଷୀସରାଇ ଜିଲ୍ଲାପାଳ ଶୈଳେନ୍ଦ୍ର କୁମାର କହିଛନ୍ତି ଯେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଭିଡ଼ ଆଶାଠାରୁ ଅଧିକ ଥିଲା। ପ୍ରବଳ ଭିଡ଼ ଯୋଗୁଁ ବାରିକେଡର ଏକ ଅଂଶ ଭାଙ୍ଗିଯାଇଥିଲା, ଯାହା ଫଳରେ ଲୋକମାନେ ଜଣଙ୍କ ଉପରେ ଜଣେ ଖସିପଡ଼ିଥିଲେ। ଅନ୍ୟପକ୍ଷରେ କିଛି ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରିଛନ୍ତି ଯେ ସେଠାରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ସୁରକ୍ଷା କର୍ମୀ ନଥିଲେ। ଭିତରକୁ ପ୍ରବେଶ କରିବା ପାଇଁ ଲୋକେ ପରସ୍ପରକୁ ଠେଲି ପକାଉଥିଲେ।
Powered by Froala Editor