ରାତିରେ ମେସେଜ ପାଇ ସକାଳୁ ପହଞ୍ଚିଗଲେ ବାପା, ଖୁସିରେ ଝୁମିଲା ଝିଅ
ବାପା-ଝିଅଙ୍କ ସମ୍ପର୍କରେ ଥିବା ଭଲପାଇବା କାହାଣୀ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଝିଅର ମାତ୍ର ଗୋଟିଏ ‘ଆଇ ମିସ୍ ୟୁ’ ମେସେଜ୍ ପାଇବା ପରେ ବାପା ତାଙ୍କ ପାଖରେ ପହଞ୍ଚିଥିଲେ। ତାହା ଅନେକଙ୍କ ହୃଦୟ ଛୁଇଁଛି।
ଝିଅଙ୍କ କହିବାନୁସାରେ, ତାଙ୍କ ‘ଆଇ ମିସ୍ ୟୁ’ ମେସେଜ୍ ପାଇଁ କେବଳ ତାଙ୍କୁ ଭେଟିବାକୁ ବାପା ଆସିନଥିଲେ। ସେ ତାଙ୍କୁ ଏହା ମନେ ପକାଇବାକୁ ଆସିଥିଲେ ଯେ, ସେ ଏହି ଦୁନିଆରେ ଏକୁଟିଆ ନୁହନ୍ତି; ତାଙ୍କ ପାଖରେ ସବୁବେଳେ ତାଙ୍କ ବାପା ଅଛନ୍ତି।
ନିକଟରେ ଦିନେ ରାତିରେ ଝିଅଙ୍କୁ ତାଙ୍କ ବାପାଙ୍କ କଥା ବହୁତ ମନେ ପଡ଼ିଥିଲା। ଭାବପ୍ରବଣ ହୋଇ ସେ ବାପାଙ୍କୁ କେବଳ ଏକ ଛୋଟ ‘ଆଇ ମିସ୍ ୟୁ’ ମେସେଜ୍ ପଠାଇଥିଲେ। ପରଦିନ ସକାଳେ ଝିଅ ଘରର କବାଟ ଖୋଲିବା ବେଳକୁ ସାମ୍ନାରେ ତାଙ୍କ ବାପାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହାତରେ ଥିଲା ଏକ ବ୍ୟାଗ୍ । ଝିଅକୁ ଭେଟିବା ପାଇଁ ବାପା ୧୪ ଘଣ୍ଟାର ଦୀର୍ଘ ଯାତ୍ରା କରି ସେଠାରେ ପହଞ୍ଚିଥିଲେ।
ଝିଅ ସହ କିଛି ଘଣ୍ଟା ବିତାଇବା ପରେ ସେ ପୁଣି ଘରକୁ ଫେରିଥିଲେ। ଏହି ଅଳ୍ପ ସମୟ ମଧ୍ୟରେ ବାପା ବାସନକୁସନ ମାଜିବାଠାରୁ ଆରମ୍ଭ କରି ପସନ୍ଦର ଖାଦ୍ୟ ଖୁଆଇବା ଏବଂ ବାହାରକୁ ବୁଲାଇ ନେବା ପର୍ଯ୍ୟନ୍ତ-ଝିଅ ସହ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତକୁ ସେ ମନଭରି ଉପଭୋଗ କରିଥିଲେ। ଫେରିବା ସମୟରେ ବାପା ଝିଅକୁ କହିଥିଲେ, ‘ତୁ ଯାହା ବି କର, ଖୁସିରେ ରହ। ମୁଁ ସବୁବେଳେ ତୋ’ ସାଥୀରେ ଅଛି।’ ଏହି ଭାବପ୍ରବଣ ମୁହୂର୍ତ୍ତର ଏକ ଭିଡିଓକୁ ‘ଆପଲ.କୈବଲ୍ୟ’ ନାମକ ଏକ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍ରୁ ଇନ୍ଷ୍ଟାଗ୍ରାମରେ ସେୟାର କରାଯାଇଛି।
Powered by Froala Editor