ଶାହରୁଖ, ଅଜୟ ଓ ଟାଇଗରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି
ବିମଲ ଏଲାଇଚିର ବିଜ୍ଞାପନକୁ ନେଇ ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ନୋଟିସରେ ତିନି ଅଭିନେତାଙ୍କୁ ବିଜ୍ଞାପନରେ ସେମାନଙ୍କ ଭୂମିକା ଓ ପ୍ରଚାରମୂଳକ ସମର୍ଥନ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି। ଏହି ବିଜ୍ଞାପନ ନିଷିଦ୍ଧ ଉତ୍ପାଦ ବିମଲ ପାନ ମସଲାର ପରୋକ୍ଷ କିମ୍ବା ‘ସରୋଗେଟ୍’ ପ୍ରମୋସନ୍ ହୋଇପାରେ ବୋଲି FDA ଆଶଙ୍କା ପ୍ରକାଶ କରିଛି।
FDA ନୋଟିସରେ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬ର ଧାରା ୨୪ ଓ ୫୩କୁ ଉଲ୍ଲେଖ କରିଛି। ଭ୍ରାମକ ଖାଦ୍ୟ ବିଜ୍ଞାପନ ସମ୍ପର୍କିତ ମାମଲାରେ ଆଇନ ଅନୁଯାୟୀ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ଥିବା FDA ଦର୍ଶାଇଛି।
FDAର ଅଭିଯୋଗ ଅନୁଯାୟୀ, ବିଜ୍ଞାପନରେ ବ୍ୟବହୃତ ବ୍ରାଣ୍ଡ ନାମ, ସଂଳାପ ଓ ଉପସ୍ଥାପନା ବିମଲ ବ୍ରାଣ୍ଡକୁ ପାନ ମସଲା ସହିତ ଯୋଡ଼ିବାର ବାର୍ତ୍ତା ଦେଉଛି। ଏହା ଫଳରେ ନିଷିଦ୍ଧ ପାନ ମସଲା ଉତ୍ପାଦର ପରୋକ୍ଷ ପ୍ରଚାର ହେଉଥିବା ଆଶଙ୍କା କରାଯାଉଛି। ମହାରାଷ୍ଟ୍ରରେ ୧୩ ଜୁଲାଇ ୨୦୨୬ର ଏକ ଆଦେଶ ଅନୁଯାୟୀ, ପାନ ମସଲା ଭଳି ନିଷିଦ୍ଧ ଉତ୍ପାଦର ଉତ୍ପାଦନ, ସଂରକ୍ଷଣ, ପରିବହନ, ବଣ୍ଟନ ଓ ବିକ୍ରୟ ଉପରେ ଏକ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯାଇଛି।
ବିଜ୍ଞାପନରେ ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କ ଅଂଶଗ୍ରହଣ ଏବଂ ପ୍ରଚାରମୂଳକ ସମର୍ଥନ ସମ୍ପର୍କରେ FDA ସେମାନଙ୍କଠାରୁ ସ୍ପଷ୍ଟୀକରଣ ମାଗିଛି। ତିନି ଅଭିନେତାଙ୍କୁ ନୋଟିସ୍ ପଠାଇ FDA ସେମାନଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦେଇଛି।
Powered by Froala Editor