ଚଳନ୍ତା ଟ୍ରେନରେ ଅଗ୍ନି କୁଣ୍ଡ, ପୂଜାପାଠ
ନିକଟରେ, ଏକ ଟ୍ରେନରେ ଫୁଲ ସଜା ହୋଇ ଚତୁର୍ଥୀ ରାତି ପାଇଁ ଆୟୋଜନ ହୋଇଥିବା ଭିଡିଓ ଭାଇରାଲ ହୋଇଥିଲା । ବର୍ତ୍ତମାନ ଚଳନ୍ତା ଟ୍ରେନରେ ପୂଜା କରାଯାଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଜଣେ ପୂଜକ ଟ୍ରେନ ବଗିରେ ବସି ରୁଦ୍ରାଭିଷେକ କରୁଛନ୍ତି । ନିକଟରେ ଧଳା ବସ୍ତ୍ର ପିନ୍ଧିଥିବା ବହୁ ଭକ୍ତ ମଧ୍ୟ ବସିଥିବା ଦେଖିବାକୁ ମିଳିଛି ।
ଏକ ଚଳନ୍ତା ଟ୍ରେନରେ ଜଳୁଥିବା ଅଗ୍ନି କୁଣ୍ଡ ଦେଖିବା ଲୋକଙ୍କ ମଧ୍ୟରେ ସୁରକ୍ଷା ଚିନ୍ତା ସୃଷ୍ଟି କରିଥିଲା ଏବଂ ଘଟଣାଟି ଶୀଘ୍ର ଏକ ବଡ଼ ବିବାଦରେ ପରିଣତ ହୋଇଥିଲା। ବର୍ତ୍ତମାନ, ରେଳବାଇ ଏହି ସମ୍ପୂର୍ଣ୍ଣ ଉତ୍ତେଜନା ସମ୍ପର୍କରେ ତଥ୍ୟ ସ୍ପଷ୍ଟ କରିବା ପାଇଁ ଆଗକୁ ବଢ଼ିଛି ।
ଏହି ଭିଡିଓକୁ ଅନଲାଇନରେ ବହୁଳ ମାତ୍ରାରେ ସେୟାର କରାଯିବା ପରେ ପ୍ରତିକ୍ରିୟା ରଖିଛି ନର୍ଦର୍ଣ୍ଣ ରେଲୱେ । ନିୟମିତ ପାସେଞ୍ଜର କୋଚ୍ ନୁହଁ ବରଂ ବ୍ୟକ୍ତିଗତ ଭାବେ ବୁକ୍ ହୋଇଥିବା ସାଲୁନ୍ କୋଚରେ ଏଭଳି ପୂଜାପାଠ କରାଯାଇଛି ।
ଏହି ସାଲୁନ କାର୍ ବା ସ୍ବତନ୍ତ୍ର ଟ୍ରେନ ବଗିକୁ ଆଇଆରସିଟିସି ଦ୍ବାରା ବୁକ୍ କରାଯାଇଥିଲା । ଏଥିପାଇଁ ଗ୍ରାହକ ଜଣକ ୩ ଲକ୍ଷ ୮ ହଜାର ୫୮୦ ଟଙ୍କା ଅଗ୍ରୀମ ଆକାରରେ ଦେଇଥିଲେ । ଆଉ ଏହି ସ୍ବତନ୍ତ୍ର ବଗିକୁ ନୂଆଦିଲ୍ଲୀରୁ ମୁମ୍ବାଇ ଯାଉଥିବା ପଶ୍ଚିମ ଏକ୍ସପ୍ରେସରେ ଲଗାଯାଇଥିଲା । ଏହି ଘଟଣାରେ କେହି ଆହତ ହୋଇନାହାନ୍ତି ବୋଲି ରେଲୱେ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ରେଳବାଇ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଯାତ୍ରା ସମୟରେ ସୁରକ୍ଷା ପ୍ରୋଟୋକଲ୍ ପାଳନ କରାଯାଇଥିଲା ଏବଂ କୌଣସି ଅପ୍ରୀତିକର ଘଟଣା କିମ୍ବା ଦୁର୍ଘଟଣାର ରିପୋର୍ଟ ନାହିଁ
Powered by Froala Editor