ଓଡ଼ିଆ ପୁଅଙ୍କୁ ରାଜସ୍ଥାନରେ ବଡ଼ ଦାୟିତ୍ବ
ଓଡ଼ିଆ ପୁଅ ଉତ୍କଳ ରଂଜନ ସାହୁଙ୍କୁ ରାଜସ୍ଥାନ ସରକାର ରାଜ୍ୟର ଲୋକ ସେବା ଆୟୋଗର ନୂଆ ଅଧ୍ୟକ୍ଷ ପଦବିରେ ନିଯୁକ୍ତି ଦେଇଛନ୍ତି। ଏହି ପଦବିରେ ନିଯୁକ୍ତ ହେଲା ପରେ ୧୯୮୮ ବ୍ୟାଚ୍ର ଆଇପିଏସ୍ ଶ୍ରୀ ସାହୁ ନିଜର ଯୋଜନା ସଂପର୍କରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି, ଏବଂ ସେ ଏହାକୁ ପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରିବେ। ଉତ୍କଳ କହିଛନ୍ତି, “ମୁଁ ଗତ 35 ବର୍ଷ ଧରି ସରକାରୀ ଚାକିରିରେ ଅଛି । ବର୍ତ୍ତମାନ ମୁଁ ଏହି ପଦବୀ ଅନୁସାରେ କାମ କରିବାକୁ ମୋର ସର୍ବୋତ୍ତମ ଚେଷ୍ଟା କରିବି।
ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର କୋଶଳା ଗାଁରେ ଜନ୍ମିତ ଶ୍ରୀ ସାହୁ କହିଛନ୍ତି, ବିଗତ କିଛି ବର୍ଷରେ ନିଯୁକ୍ତି ପରୀକ୍ଷାସଂପର୍କିତ ଅନେକ ସମସ୍ୟା ଆସିଥିଲା। କିନ୍ତୁ ଗତ ଦେଢ଼ ବର୍ଷ ମଧ୍ୟରେ ଯେତିକି ପରୀକ୍ଷାର ଆୟୋଜନ କରାଯାଇଛି, ସେଗୁଡ଼ିକ ସଠିକ ଏବଂ ବ୍ୟବସ୍ଥିତ ଭାବେ ସଂପନ୍ନ ହୋଇଛି। ଏହି ପରୀକ୍ଷାଗୁଡ଼ିକୁ ସଫଳତାପୂର୍ବକ କରିବାକୁ ଏସ୍ଆଇଟି, ରାଜସ୍ଥାନ ପୁଲିସର ଫିଲ୍ଡ ଅଫିସର ଏବଂ ଅନ୍ୟ ଏଜେନ୍ସିର ସମନ୍ବୟ ଗୁରୁତ୍ବପୂର୍ଣ୍ଣ ରହିଛି।
ଭବିଷ୍ୟତରେ ମଧ୍ୟ ପରୀକ୍ଷାଗୁଡ଼ିକ ସଫଳତାର ସହିତ ଆୟୋଜନ କରାଯିବ। ଲୋକେ ମୋ ବାବଦରେ କ’ଣ ଭାବନ୍ତି, ଏବାବଦରେ କୌଣସି ଟିପ୍ପଣୀ ଦେବାକୁ ଚାହୁଁନାହିଁ। କିନ୍ତୁ ଏପର୍ଯ୍ୟନ୍ତ ଯାହା କାମ କରିଛି, ଆଗକୁ ମଧ୍ୟ ସମାନ ମନୋବଳ ନେଇ ଦାୟିତ୍ବ ପାଳନ କରିବି।
Powered by Froala Editor