୨୪ଘଣ୍ଟା ମଧ୍ୟରେ ୬ ଜିଲାକୁ ବର୍ଷା, ସତର୍କତା ଜାରି
ଭୁବନେଶ୍ବର : ପଶ୍ଚିମାଝଡ଼ ପ୍ରଭାବରେ ଅନୁଗୋଳ ଜିଲାର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି। ଶନିବାର ଅନୁଗୋଳରେ ସର୍ବାଧିକ ବର୍ଷା ୨୧ମି.ମି ହୋଇଥିବା ବେଳେ ବାଲେଶ୍ବର ୫.୬ ଓ ନୟାଗଡର ୪ ମି.ମି. ବର୍ଷା ହୋଇଛି। ଏଥିସହିତ ଗୋପାଳପୁର,ତାଳଚେର ଏବଂ ରାଉରକେଲାରେ ହାଲୁକା ବର୍ଷା ହୋଇଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଗତ ୨୪ଘଣ୍ଟା ମଧ୍ୟରେ ରାୟଗଡା, ଯାଜପୁର, କେନ୍ଦୁଝର, କଟକ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଜଗତସିଂହପୁରରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି। ପଶ୍ଚିମାଝଡ଼ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଏବଂ କେନ୍ଦୁଝର ଜିଲାର କେତେକ ଅଞ୍ଚଳରେ ବିଜୁଳି ଘଡଘଡି ସହିତ ବର୍ଷା ହୋଇପାରେ। ଘଣ୍ଟାପ୍ରତି ୫୦ରୁ ୬୦କି.ମି. ବେଗରେ ପବନ ବହିବା ସହ କୁଆପଥର ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଗଞ୍ଜାମ ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ଘଣ୍ଟା ପ୍ରତି ୪୦ରୁ ୫୦କି.ମି. ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହି ଦୁଇ ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏଥିସହିତ ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।
Powered by Froala Editor