କଟକରେ ସ୍ମାର୍ଟ ବସ୍: ମଦ ପିଇଥିଲେ ଷ୍ଟାର୍ଟ ହେବନି ଗାଡ଼ି, ନିଆଁ ଲାଗିଲେ ପାଣି ସ୍ପ୍ରେ ହେବ
ଯଦି ଡ୍ରାଇଭର୍ ମଦ ପିଇଛନ୍ତି, ଷ୍ଟାର୍ଟ ହେବନାହିଁ ବସ୍ । ଏଭଳି ସୁବିଧା ଥିବା ଯାତ୍ରୀବାହୀ ସ୍ମାର୍ଟ ବସ୍ କଟକକୁ ଆସିଛି । ଆସନ୍ତା ସପ୍ତାହକ ମଧ୍ୟରେ ବସ୍ଟି ଚଳାଚଳ କରିବ । ଅତ୍ୟାଧୁନିକ ଜ୍ଞାନକୈଶଳ ସହ ଏହି ବସ୍ରେ ରହିଛି ଅନେକ ସୁବିଧା। ଯଦି ଦୁର୍ଘଟଣା ଘଟି ବସ୍ ନିଆଁ ଲାଗିଯାଏ, ମନକୁ ମନ ବସ୍ ଭିତରୁ ପାଣି ସ୍ପ୍ରେ ହେବ ଏବଂ ନିଆଁ ଲିଭା ଗ୍ୟାସ୍ ବାହାରିବ । କେବଳ ସେତିକି ନୁହେଁ, ଯଦି କୌଣସି ମହିଳା ଯାତ୍ରୀ ଅସଦାଚରଣର ଶିକାର ହୁଅନ୍ତି ସେନେଇ ଆଲର୍ଟ ଯିବ ଥାନାକୁ । ଫଳରେ ରାସ୍ତାରେ ଗାଡ଼ି ଅଟକାଇ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେବ ।
୫୩ ସିଟ୍ ବିଶିଷ୍ଟ ଏହି ଭଲଭୋ 9600 B8R ବସ୍ ଆଣିଛି ପ୍ରଧାନ ବସ୍ ସର୍ଭିସ। ଏଥିରେ ରହିଛି ସଂପୂର୍ଣ୍ଣ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ବସ୍ରେ ସମସ୍ତ ସିଟ୍ ପାଖରେ, ବସ ମଝିରେ ଏବଂ ଇଞ୍ଜିନରେ ସ୍ପ୍ରିଙ୍କଲର ଲାଗିଛି। ତା’ସହିତ ଲଗାଯାଇଛି CO2 ବା କାର୍ବନ ଡାଇଅକସାଇଡର ସ୍ପ୍ରିଂଙ୍କଲର। ଦୁର୍ଘଟଣା ଘଟିଲେ ଆପେ ଆପେ ଆଲାର୍ମ ବାଜିବା ସହ ପାଣି ଓ କାର୍ବନ ଡାଇଅକସାଇଡ ଗ୍ୟାସ ସମ୍ପୂର୍ଣ୍ଣ ବସକୁ ନିୟନ୍ତ୍ରଣ କରିବ।
ବେଙ୍ଗାଲୁରୁରେ ନିର୍ମାଣ ହୋଇ କଟକ ଆସିଥିବା ଏହି ବସ୍ର ମୂଲ୍ୟ ରହିଛି ୧ କୋଟି ୭୬ ଲକ୍ଷ ଟଙ୍କା । ଏହାର ଅନେକ ବିଶେଷତ୍ୱ ରହିଛି, ଯାହା ଯାତ୍ରୀଙ୍କୁ ସୁରକ୍ଷିତ ବସ୍ ଯାତ୍ରାର ଅନୁଭବ ଦେବ । ବସ୍ ମାଲିକ ତଥା ପ୍ରଧାନ ଟ୍ରାନ୍ସପୋର୍ଟର ମୁଖ୍ୟ ଶରତ ଚନ୍ଦ୍ର ପ୍ରଧାନଙ୍କ ସୂଚନା ଅନୁସାରେ, ଏହି ବସ୍ରେ ମୋଟ୍ ୫୩ଟି ସିଟ୍ ରହିଛି ।
ବଡ଼ କଥା ହେଲା, ବସ୍ର ଡ୍ରାଇଭର୍ ସିଟ୍ ନିକଟରେ ଏକ ‘ବ୍ରେଥ୍ ଆନାଲାଇଜର୍’ ରହିଛି । ସେନ୍ସର୍ ଦ୍ୱାରା ପରିଚାଳିତ ଏହି ବ୍ରେଥ୍ ଆନାଲାଇଜର୍ର ବିଶେଷତ୍ୱ ହେଲା, ଯଦି ବସ୍ ଡ୍ରାଇଭର୍ ମଦ ପିଇଥିବେ, ବସ୍ ଷ୍ଟାର୍ଟ ହେବନାହିଁ । ଏମିତିକି ଯଦି ଅନ୍ୟ କେହି ବସ୍ ଷ୍ଟାର୍ଟ କରି ପରବର୍ତ୍ତୀ ସମୟରେ ମଦୁଆ ଡ୍ରାଇଭର୍ ଗାଡ଼ି ଚଳାନ୍ତି, ସେହିଠାରେ ହିଁ ବସ୍ ବନ୍ଦ ହୋଇଯିବ ଏବଂ ସାଇରନ୍ ବାଜି ଉଠିବ ।
Powered by Froala Editor