ଆଜି ରାଜ୍ୟର ୧୨ ଜିଲ୍ଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର : ଆସନ୍ତା ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ରାଜ୍ୟର ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ମାଲକାନଗିରି, କୋରାପୁଟ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଯାଜପୁର ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ସତର୍କ ରହିବା ପାଇଁ କୁହାଯାଇଛି । କେନ୍ଦ୍ରର ସୂଚନା ମୁତାବକ ସମୁଦ୍ର ପତ୍ତନରେ ଥିବା ନିମ୍ନଚାପ ରେଖା ମଧ୍ୟ ଉତ୍ତର ପଞ୍ଜାବରୁ ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ମଧ୍ୟ ଦେଇ ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଛି । ତା’ ଛଡ଼ା ଝାଡ଼ଖଣ୍ଡ ଓ ତା’ର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିମି ବ୍ୟାପିଛି ଏବଂ ଏହା ଦକ୍ଷିଣ ପଶ୍ଚିମ ଦିଗକୁ ଢଳି ରହିଛି । ଏହି ଘୂର୍ଣ୍ଣିବଳୟଠାରୁ ଦକ୍ଷିଣ ଓଡ଼ିଶା ମଧ୍ୟ ଦେଇ ଗୋଟିଏ ନିମ୍ନଚାପ ରେଖା ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତା ମଧ୍ୟରେ ଉତ୍ତର ଆନ୍ଧ୍ର ଉପକୂଳ ଯାଏ ଲମ୍ବିଛି । ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ବର୍ଷା ହେବ । ଉପରୋକ୍ତ ୧୨ଟି ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ହାଲକାରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଏଥିସହ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବି ବର୍ଷା ସମ୍ଭାବନା ରହିଛି । ସେହିପରି ୨୭ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଦେବଗଡ଼ ଆଦି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।
Powered by Froala Editor