ଶିଶୁଙ୍କ ଥାଳିରୁ ଅଣ୍ଡା ନେଇଗଲେ ଅଙ୍ଗନବାଡି ଦିଦି

ଅଙ୍ଗନବାଡି ଦିଦିଙ୍କର ଏ କି କାମ? ଛୋଟ ଛୋଟ କୋମଳମତି ଶିଶୁଙ୍କ ମୁହଁରୁ ଖାଦ୍ୟ ଫେରାଇ ଆଣିବାକୁ ହାତ କେମିତି ଗଲା? ଏମିତି ବହୁ ପ୍ରଶ୍ନ ଉଠିଛି । କହି ରଖୁଛୁ କି, ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଅଙ୍ଗନବାଡି ଦିଦି ଜଣକ ପିଲାଙ୍କୁ ଅଣ୍ଡା ପରଷୁଛନ୍ତି । କିନ୍ତୁ ଭିଡିଓ ହୋଇସାରିବା ପରେ ହଠାତ୍ ପିଲାଙ୍କ ଥାଳିରୁ ଗୋଟି ଗୋଟି କରି ଅଣ୍ଡା ନେଇ ଯାଉଛନ୍ତି । ଯାହାକି ସମସ୍ତ ରୋଷର କାରଣ ପାଲଟିଛି ।
ଏହି ଘଟଣାପରେ କର୍ଣ୍ଣାଟକର କୋପାଲ ଜିଲ୍ଲାର ଏକ ଅଙ୍ଗନବାଡି କର୍ମୀ ଲକ୍ଷ୍ମୀ ଓ ଶାଇନାଜ ବେଗମ୍ଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହିତ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ଅଧିକାରୀ ଗୁଣ୍ଡୁର ଗାଁର ସ୍କୁଲ କର୍ମଚାରୀ ତଥା ଅଙ୍ଗନବାଡି କର୍ମୀଙ୍କୁ କାରଣ ଦର୍ଶାଅ ନିର୍ଦ୍ଦେଶ ଜାରି କରିଛନ୍ତି ।
ସୂଚନାଯୋଗ୍ୟ, କିଛି ଅଙ୍ଗନବାଡ଼ି କର୍ମଚାରୀ ପିଲାଙ୍କୁ ଅଣ୍ଡା ନଦେଇ ସେମାନଙ୍କ ଅଣ୍ଡା ନେଇଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଜିଲ୍ଲାପାଳ ନିୟମ ଜାରି କରି କହିଥିଲେ ଅଙ୍ଗନବାଡ଼ି କେନ୍ଦ୍ରରେ ଯେଉଁଦିନ ପିଲାଙ୍କୁ ଅଣ୍ଡା ଦେବାର ଅଛି ସେଦିନ ଭିଡିଓ ରେକର୍ଡିଂ ହେବ। ଏହି ନିୟମକୁ ପାଳନ କରିବାକୁ ଯାଇ କର୍ଣ୍ଣାଟକର କୋପାଲ ଜିଲ୍ଲାର ଏକ ଅଙ୍ଗନବାଡି କେନ୍ଦ୍ରର ଦୁଇଜଣ ଅଙ୍ଗନବାଡ଼ି କର୍ମୀ ଚତୁରତା ଦେଖାଇଥିଲେ। ପିଲାଙ୍କୁ ଅଣ୍ଡା ଖାଇବାକୁ ଦିଆଯିବା ସମୟରେ ଭିଡିଓ ରେକର୍ଡିଂ ହୋଇଥିଲା। ତେବେ ଭିଡିଓ ରେକର୍ଡିଂ ଶେଷହେବା ପରେ ଅଙ୍ଗନବାଡି କର୍ମୀ ଲକ୍ଷ୍ମୀ ଓ ଶାଇନାଜ ବେଗମ୍ ପିଲାଙ୍କ ଥାଳିରୁ ଅଣ୍ଡା ଛଡାଇ ନେଇଥିଲେ।
Powered by Froala Editor