ହିଣ୍ଡେନବର୍ଗ ରିପୋର୍ଟକୁ ସେବି ମୁଖ୍ୟ ମାଧବୀ ବୁଚ୍ ଙ୍କ ଖଣ୍ଡନ

ହିଣ୍ଡେନବର୍ଗ ଅନୁସନ୍ଧାନର ନୂଆ ଖୁଲାସା ପରେ ପ୍ରତିକ୍ରିୟା ରଖିଛନ୍ତି ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍। ବୁଚ କହିଛନ୍ତି ଯେ ଏହା ଦୁର୍ଭାଗ୍ୟଜନକ ଯେ ହିଣ୍ଡେନବର୍ଗ ରିସର୍ଚ୍ଚ, ଯାହା ବିରୋଧରେ ସେବି ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହାର ଜବାବ ଏପର୍ଯ୍ୟନ୍ତ ହିଣ୍ଡେନବର୍ଗ ପକ୍ଷରୁ ଦିଆଯାଇନାହିଁ , ବରଂ ତାଙ୍କ ଚରିତ୍ର ହନନ କରିବାକୁ ହିଣ୍ଡେନବର୍ଗ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି ।
ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ଗମ୍ଭୀର ଅଭିଯୋଗ ଆଣିଥିଲା। ଆଦାନି ଗ୍ରୁପର ସ୍କାମରେ ଜଡିତ ବିଦେଶୀ କମ୍ପାନିରେ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ଅଂଶଧନ (ଶେଆର୍) ରହିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା। ଆଦାନୀ ଗ୍ରୁପର ବିଦେଶୀ ଅଂଶଧନ ସମ୍ପର୍କରେ ତଦନ୍ତ ପାଇଁ ସେବି ଯଥେଷ୍ଟ ଆଗ୍ରହ ନଦେଖାଇବାର ଏହା ଏକ କାରଣ ବୋଲି ହିଣ୍ଡେନବର୍ଗ ରିସର୍ଚ୍ଚ ଦାବି କରିଥିଲା।
ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବୁଚ୍ ଦମ୍ପତି ସେମାନଙ୍କ ବୟାନରେ କହିଛନ୍ତି, ୨୦୨୪ ଅଗଷ୍ଟ ୧୦ ତାରିଖର ହିଣ୍ଡେନବର୍ଗ ରିପୋର୍ଟ ସମ୍ପର୍କରେ ଆମେ କହିବାକୁ ଚାହୁଁଛୁ ଯେ ଆମେ ରିପୋର୍ଟରେ ଆମ ବିରୋଧରେ କରାଯାଇଥିବା ସମସ୍ତ ଭିତ୍ତିହୀନ ଅଭିଯୋଗ ଏବଂ ଅପବାଦକୁ ଦୃଢ଼ତାର ସହ ଖଣ୍ଡନ କରୁଛୁ।
Powered by Froala Editor