ବ୍ରାଜିଲରେ ଭୟଙ୍କର ବିମାନ କ୍ରାଶର ଭିଡିଓ ଭାଇରାଲ, ୬୨ ଜଣ ମୃତ
ବ୍ରାଜିଲ୍ର ସାଓ ପଲୋରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି। ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୬୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫୮ ଜଣ ଯାତ୍ରୀ ଓ ୪ ଜଣ କ୍ରିଉ ମେମ୍ବର ଥିବା ଜଣାଯାଇଛି। ଜନବସତି ଅଂଚଳରେ ବିମାନଟି ଖସିବା ପରେ ଜଳିଯାଇଛି। ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୃତାହତଙ୍କ ସଂପର୍କରେ ସରକାରୀ ଭାବେ କୌଣସି ତଥ୍ୟ ଜାରି ହୋଇନାହିଁ।
ଏଟିଆର-୭୨ ବିମାନ ବ୍ରାଜିଲ୍ର କାସକାଭେଲ୍ରୁ ପୂର୍ବାହ୍ନ ୧୧ଟା ୩୦ରେ ଉଡ଼ାଣ ଆରମ୍ଭ କରି ସାଓ ପଲୋ ଅଭିମୁଖେ ଯାଉଥିବାବେଳେ ଭିନହେଡୋ ସହରରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ଅପରାହ୍ନ ୧ଟା ୩୦ରେ ବିମାନ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତେବେ ଭାଇରାଲ ହେଉଥିବା ଭିଡିଓରେ ବିମାନଟି ଗୋଟିଏ ଗଛରେ ମାଡ଼ ହେବା ସହ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ତେବେ କେଉଁ କାରଣ ପାଇଁ ଏହି ଯାତ୍ରୀବାହୀ ବିମାନ ଦୁର୍ଘଟଣାର ସମ୍ମୁଖୀନ ହେଲା ତାହା ଜଣାପଡିନାହିଁ। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲ୍ଭା ଏହି ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ବିମାନର କୌଣସି ଯାତ୍ରୀ ଜୀବିତ ଥିବା ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।
Powered by Froala Editor