କିସ୍ରୁ ମାଟ୍ରିକ୍ ପାଶ୍ କଲେ ଦାନ ମାଝୀଙ୍କ ଝିଅ
ଭୁବନେଶ୍ୱର,୨୫।୬: ଶୁକ୍ରବାର ପ୍ରକାଶିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର ଫଳାଫଳ ଶତ ପ୍ରତିଶତ ହୋଇଛି। ସ୍କୁଲ୍ର ୬୨୯ ଛାତ୍ରଛାତ୍ରୀ ୭୦ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟ ଫଳାଫଳ ୯୭.୮୯ ପ୍ରତିଶତ ହୋଇଥିବା ବେଳେ କିସ୍ର ପାସ୍ ହାର ଶତ ପ୍ରତିଶତ ହୋଇଛି। ଚଳିତବର୍ଷ କିସ୍ର ମୋଟ ୧୯୦୦ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ଗଜପତି ଜିଲ୍ଲା ସଉରା ସଂପ୍ରଦାୟର ମୋହନ ଚରଣ ରଇତ ସର୍ବାଧିକ ୫୪୦ ନମ୍ବର ରଖି କିସ୍ ଟପ୍ପର ହୋଇଛନ୍ତି। ଚଳିତବର୍ଷ ଡିଡାଇ, ଜୁଆଙ୍ଗ, ଖଡ଼ିଆ, କୁଟିଆ କନ୍ଧ, ଲୋଧା, ଲାଞ୍ଜିଆ ସଉରା ଓ ବଣ୍ଡା ଆଦି ଆଦିମ ଜନଜାତିର ୫୭୩ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ବହୁ ଚର୍ଚ୍ଚିତ ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ ମାଝୀ କୃତକାର୍ଯ୍ୟ ହୋଇଛନ୍ତି । ସେ ଓ ତାଙ୍କର ଅନ୍ୟ ଦୁଇ ସାନ ଭଉଣୀ କିସରେ ରହି ପାଠ ପଢୁଛନ୍ତି। ୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅର୍ନ୍ତଗତ ମେଲଘର ଗାଆଁର ଦାନ ନିଜ ପତ୍ନୀଙ୍କ ଶବକୁ ଦୀର୍ଘ ୧୦ କିଲୋମିଟର କାନ୍ଧରେ ବୋହି ଚାଲି ଚାଲି ଆସିବା ଘଟଣା ଚର୍ଚ୍ଚାକୁ ଆସିଥିଲା। ସେତେବେଳେ ଏହି ଘଟଣା କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିବା ପରେ ସେ ଦାନଙ୍କ ତିନି ଝିଅଙ୍କୁ କିସରେ ରଖି ପାଠ ପଢ଼ାଇବାର ବନ୍ଦୋବସ୍ତ କରିଥଲେ। ଦାନଙ୍କ ଝିଅ ମାଟ୍ରିକ୍ ପାଶ୍ କରିବା ପରେ କଳାହାଣ୍ଡି ଜିଲ୍ଲା ଜନଜାତି ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଅସମୟରେ କିସ୍ ସାହାଯ୍ୟର ହାତ ବଢାଇବାରୁ ଆଜି ତାଙ୍କ ବଡ଼ଝିଅ ମାଟ୍ରିକ୍ ପାଶ୍ କରିପାରିଛି ଏବଂ ଅନ୍ୟ ଦୁଇ ଝିଅ କିସରେ ଭଲରେ ରହି ପାଠ ପଢ଼ି ପାରୁଛନ୍ତି ବୋଲି ସେମାନେ କହିଛନ୍ତି। କିସ୍ ଫଳାଫଳ ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ କିସ୍ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଅଦମ୍ୟ ଉଦ୍ୟମ ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି।
Powered by Froala Editor