ଝାଡ଼ାବାନ୍ତିରେ ଯୁବକ ମୃତ

ଭୁବନେଶ୍ବର: ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଡାଲିଆକୁଜି ପଞ୍ଚାୟତର ଗଇଲକଣା ଗାଁରେ ଝାଡ଼ାବାନ୍ତିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ଗୋପାଳ କାଣ୍ଡାମାକା ବୋଲି ଜଣାପଡିଛି । ସେହିପରି ଗାଁର କାଦୁଲୁ କାଣ୍ଡାମାକା , କୁମାରୀ ମାଣ୍ଡିକା , ମିଲନ ମାଣ୍ଡିକା ଏବଂ କବିତା ଶବରଙ୍କୁ ବିଷମକଟକ ଖ୍ରୀଷ୍ଟିୟାନ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଗୋପାଳ କାଣ୍ଡାମାକା ୩ଦିନ ତଳେ ଏକ ବିବାହ ଭୋଜି ଖାଇ ଫେରିବା ପରେ ତାଙ୍କର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସୋମବାର ଗୋପାଳଙ୍କୁ ପରିବାର ଲୋକେ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଗୋପାଳଙ୍କର ମୃତ୍ୟୁ ହୋଇଛି। ଖବରପାଇ ଗ୍ରାମରେ ବିଷମକଟକରୁ ଡାକ୍ତରୀ ଦଳ ପହଞ୍ଚି ଲୋକଙ୍କୁ ସଚେତନ କରିଥିବା ବେଳେ ଗ୍ରାମରେ ଆଉ କେହି ଆକ୍ରାନ୍ତ ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଡାକ୍ତରଖାନାରେ ରୋଗୀଙ୍କୁ ଭେଟିବା ସହ ଗାଁକୁ ଯାଇ ମୃତକଙ୍କ ପରିବାରକୁ ଯାଇ ସମବେଦନା ଜଣାଇଛନ୍ତି ନବନିର୍ବାଚିତ କଂଗ୍ରେସ ବିଧାୟକ ନିଳମାଧବ ହିକକା। ବିଷମକଟକ ଗ୍ରାମ୍ୟ ପରିମଳ ଓ ପାନୀୟଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ରାଜେଶ୍ବରୀ ପାତ୍ର ଓ ଯନ୍ତ୍ରୀ ଜିତେନ୍ଦ୍ର ପାତ୍ର ପହଞ୍ଚି ସେହି ଗ୍ରାମରେ ବ୍ଲିଚିଂ ପାଉଡ଼ର ପକାଇବା ସହ ସମସ୍ତ ନଳକୂପ ସଫା କରିବା ବ୍ୟବସ୍ଥା କରିଥିଲେ। ଝାଡ଼ାବାନ୍ତି କିପରି ବ୍ୟାପିଲା ସେନେଇ ଅନୁଧ୍ୟାନ ଚାଲିଥିବା ବିଷମକଟକ ବିଡ଼ିଓ ସଦାଶିବ ନାୟକ ସୂଚନା ଦେଇଛନ୍ତି। ବିଷମକଟକ ବିପିଏମ୍ ପ୍ରଭାକର ଧଳ କହିଛନ୍ତି, ବର୍ତ୍ତମାନ ଆଉ କେହି ଆକ୍ରାନ୍ତ ନାହାନ୍ତି। ପାଣି ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଧଳ କହିଛନ୍ତି।
Powered by Froala Editor