ସ୍ୱାଭିମାନ ଅଞ୍ଚଳ ପାଇଁ ଗର୍ବ : ଏଠାକାର ଘୋଡ଼ା ପାଇବ ଅଷ୍ଟମ ପ୍ରଜାତିର ମାନ୍ୟତା
ସ୍ୱାଭିମାନ ଅଞ୍ଚଳ ମାଲକାନଗିରି ପାଇଁ ଆଉ ଏକ ସ୍ୱାଭିମାନର କଥା । ଏଠାରେ ଦେଖାଯାଉଥିବା ଘୋଡାକୁ ମିଳିପାରେ ଅଷ୍ଟମ ପ୍ରଜାତି ଘୋଡାର ମାନ୍ୟତା । ଓୟୁଏଟିର ଗବେଷଣାରୁ ଜଣାଯାଇଛି ଯେ, ଦେଶରେ ଚିହ୍ନଟ ହୋଇଥିବା ୭ ପ୍ରଜାତିର ଘୋଡ଼ା ମଧ୍ୟରୁ ମାଲକାନାଗିରି ସ୍ୱାଭିମାନ ଅଞ୍ଚଳର ଘୋଡ଼ାମାନଙ୍କର ଏକ ଭିନ୍ନତା ରହିଛି । ତେଣୁ ଏହାକୁ ଅଷ୍ଟମ ପ୍ରଜାତିର ଘୋଡ଼ା ଭାବରେ ମାନ୍ୟତା ମିଳିପାରେ । ଏ ନେଇ ଓୟୁଏଟି ପଶୁ ପ୍ରଜନନ ବିଭାଗର ମୁଖ୍ୟ ଡା. ସୁଶାନ୍ତ ଦାଶ ପ୍ରକାଶ କରିଛନ୍ତି ।
୧୪୦-୧୪୯ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ଏହି ଘୋଡ଼ାମାନଙ୍କର ରକ୍ଷଣାବେକ୍ଷଣ ଖର୍ଚ୍ଚ କମ୍ ରହିଥାଏ । ଭାରତର ସିକିମ, ଅରୁଣାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀର ଓ ହିମାଞ୍ଚଳ ପରି ଥଣ୍ଡା ଏବଂ ପାହାଡ଼ିଆ ଅଞ୍ଚଳରେ ଏଭଳି ଘୋଡ଼ା ଦେଖିବାକୁ ମିଳିଥାନ୍ତି । ସ୍ୱାଭିମାନ ଅଞ୍ଚଳର ୪ଟି ପଞ୍ଚାୟତରେ ପ୍ରାୟ ୮୦୦-୯୦୦ ଘୋଡ଼ା ରହିଥିବା ସୂଚନା ରହିଛି ।
ବାବୁସାନଙ୍କ ଅଭିନୀତ ସୁପରହିଟ ଚଳଚ୍ଚିତ୍ର 'ଦମନ'ରେ ଏହି ଘୋଡ଼ା ନଜର ଆସିଥିଲା । ବିଭିନ୍ନ ଅପହଞ୍ଚ ସ୍ଥାନରେ ଏହି ଘୋଡ଼ାମାନେ ସାଜିଛନ୍ତି ପରିବହନର ପ୍ରମୁଖ ମାଧ୍ୟମ । ତେବେ ସେତୁ ନିର୍ମାଣ ପରେ ଏମାନଙ୍କ ବ୍ୟବହାର ହ୍ରାସ ହୋଇଛି ।
Powered by Froala Editor