୩ ଟଙ୍କା ପାଇଁ ଅପମାନ କରିଥିଲେ, ଏବେ ୨୫ ହଜାର ଦେବେ ଦୋକାନୀ

ସମ୍ବଲପୁର ଜିଲ୍ଲା ବୁଢ଼ାରାଜା ଅଞ୍ଚଳର ଘଟିଥିବା ଏକ ଘଟଣାକୁ ନେଇ ଖାଉଟି ଅଦାଲତ ରାୟ ପ୍ରକାଶ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୩ ଟଙ୍କା ପାଇଁ ଦୋକାନୀ-ଗ୍ରାହକ ମୁହାଁମୁହିଁ ଘଟଣା ଜଣେ ଦୋକାନୀଙ୍କୁ ଭାରି ପଡ଼ିଛି। ଦୋକାନୀ ମାତ୍ର ୩ ଟଙ୍କା ପାଇଁ ଜଣେ ଗ୍ରାହକଙ୍କ ସହ ଝଗଡା କଲେ। ଏବେ ୩ ଟଙ୍କା ବଦଳରେ ସେ ଗ୍ରାହକଙ୍କୁ ଗଣିବେ ୨୫ ହଜାର ଟଙ୍କା ।
ସୂଚନା ଅନୁଯାୟୀ, ସମ୍ବଲପୁରର ଜଣେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ଦାସ ଗତ ଏପ୍ରିଲ ୨୮ ତାରିଖରେ ବୁଢାରାଜାର ଗୋୟଲ ପ୍ରିଣ୍ଟିଂ ଜୋନ ନାମକ ଏକ ଜେରକ୍ସ ଦୋକାନରେ କାଗଜ ଜେରକ୍ସ କରିଥିଲେ । ଜେରକ୍ସ ଫି ୨ ଟଙ୍କା ଥିବାବେଳେ ଦାସ ତାଙ୍କ ୫ ଟଙ୍କା ବଢାଇଥିଲେ। ହେଲେ ଦୋକାନୀ ତାଙ୍କୁ ଆଉ ୩ ଟଙ୍କା ଫେରାଇ ନଥିଲେ। ଟଙ୍କା ଫେରାଇବା ବଦଳରେ ଯୁକ୍ତିତର୍କ କରିଥିଲେ। ପ୍ରଫୁଲ୍ଲ ବାରମ୍ବାର ଟଙ୍କା ମାଗିବାରୁ ତାଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ୫ଟଙ୍କା ଫେରାଇ ଦେଇଥିଲେ ଏବଂ ତାଙ୍କୁ ଅପମାନ ଦେବା ପରି କଥା କହିଥିଲେ। ଏହାର ପ୍ରତିବାଦରେ ପ୍ରଫୁଲ୍ଲ ଦାସ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମାମଲାର ଶୁଣାଣି କରି ଦୋକାନୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୫ ହଜାର ଟଙ୍କା ପ୍ରଫୁଲ୍ଲ ଦାସଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏ ଘଟଣାକୁ ନେଇ ସମ୍ବଲପୁରରେ ଚର୍ଚ୍ଚା ହେଉଛି । ଏନେଇ ପ୍ରଫୁଲ୍ଲ କହିଛନ୍ତି, ଟଙ୍କା ଫେରାଇବା ବଡ କଥା ନୁହେଁ । କିନ୍ତୁ ଅପମାନ ଦେବା ଠିକ ନଥିଲା । ତାଙ୍କର ପ୍ରାପ୍ୟ ମାଗି ସେ କିଛି ଭୁଲ୍ କରିନଥିଲେ । କିନ୍ତୁ ଦୋକାନୀ ତାଙ୍କୁ ଓଲଟା ଦୁର୍ବ୍ୟବହାର କରିଥିଲେ । ଯେଉଁଥିପାଇଁ ସେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ ।
Powered by Froala Editor