ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କର ଶେଷ ଆଡ଼ପ ଦର୍ଶନ

ପୁରୀ: ଘୋଷଯାତ୍ରାରେ ଜନ୍ମବେଦିକୁ ଯାଇଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କର ମଙ୍ଗଳବାର ଶେଷ ଆଡ଼ପ ଦର୍ଶନ । ଶାସ୍ତ୍ରାନୁଯାୟୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହୁଡ଼ା ପୂର୍ବଦିନର ଆଡ଼ପ ଦର୍ଶନ ‘ସନ୍ଧ୍ୟା ଦର୍ଶନ’ ଭାବେ ବହୁ ପୁରାତନ ସମୟରୁ ପ୍ରଚଳିତ ହୋଇଆସୁଛି । ମଙ୍ଗଳବାର ନବମୀ । ଏହି ତିଥିରେ ମହାବେଦି ବା ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ ।
ବୁଧବାର ବାହୁଡ଼ା ଯାତ୍ରା ଥିବାରୁ ସନ୍ଧ୍ୟା ଦର୍ଶନ ଲାଗି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ ଦିନ ୫ଟାଠାରୁ ବନ୍ଦ ହୋଇଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଦୁଇ ଦିନ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସନ୍ଧ୍ୟା ଦର୍ଶନ ଲାଗି ଲକ୍ଷ ଲକ୍ଷ ଭକ୍ତଙ୍କର ଆଗମନକୁ ଦୃଷ୍ଟିରେ ରଖି ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ରାସ୍ତା ଖୋଳାଯାଇ ବାରିକେଡ୍ ନିର୍ମାଣ କରାଯାଉଛି । ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଦର୍ଶନ ଶେଷ ହେବା ପରେ ବାହୁଡ଼ା ଯାତ୍ରାର ନୀତିକାନ୍ତି ଆରମ୍ଭ ହେବ । ଯେଉଁ ଭକ୍ତମାନେ ମହାପ୍ରଭୁଙ୍କର ସନ୍ଧ୍ୟା ଦର୍ଶନ କରିବାକୁ ଆସିବେ ସେମାନେ କଟକଣା ସମୟ ବହୁ ପୂର୍ବରୁ ପହଞ୍ଚିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା ।
ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ୫ଟା ସୁଦ୍ଧା ପ୍ରବେଶ କରିଥିବା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି କୁହାଯାଇଛି। ବହୁ ଭିଡ଼ ହେବ,ଦଳାଚକଟା ହେବାର ଆଶଙ୍କା କରି ବାରିକେଡ୍ କରାଯାଉଛି । ଅନ୍ୟ ଦିଗୁଡ଼ିକରେ ଆଡ଼ପ ମଣ୍ଡପ ଦର୍ଶନ ଲାଗି କେବଳ ଲୁହାର ବାରିକେଡ୍ ଲଗାଯାଇ ଶୃଙ୍ଖଳାରେ ଭକ୍ତଙ୍କୁ ଛଡ଼ା ଯାଉଥିଲା । ହେଲେ ମାତ୍ରାଧିକ ଭିଡ଼ ହେଲେ ସମ୍ଭାଳିବା ଅସମ୍ଭବ ହେବ ବୋଲି ପୁଲିସ ପକ୍ଷରୁ ରାସ୍ତା ଖୋଳାଯାଇ ବାରିକେଡ୍ କରାଯାଇଛି ।
Powered by Froala Editor