ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପ୍ରେମିକ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିପାରିବେନି ପ୍ରେମିକା

ନୂଆଦିଲ୍ଲୀ: ପ୍ରେମିକ ବିରୋଧରେ ପ୍ରେମିକା ଆଣିପାରିବେନି ଦୁଷ୍କର୍ମ ଅଭିଯୋଗ । ବମ୍ବେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୨୦୧୬ରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମୁମ୍ବାଇର ବର୍ସୋବା ଥାନାରେ ଏକ ଦୁଷ୍କର୍ମ ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ତାଙ୍କ ବିରୋଧରେ ଉକ୍ତ ଅଭିଯୋଗକୁ ଖାରଜ କରିବା ପାଇଁ ସେ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ଦିଣ୍ଡୋସି ଦୌରା କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ନ ଥିଲେ । ଏହାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ବମ୍ବେ ହାଇକୋର୍ଟର ଜଷ୍ଟିସ୍ ଭାରତୀ ଡାଙ୍ଗ୍ରେଙ୍କ ଖଣ୍ଡପୀଠ ମାମଲାର ବିଚାର କରି କହିଲେ ଯେ, ଦୁଇଜଣ ବୟସ୍କ ପୁରୁଷ ଓ ନାରୀ ଦୀର୍ଘଦିନ ସହମତି ଭିତ୍ତିକ ସମ୍ପର୍କରେ ରହିବା ପରେ ଯଦି କୌଣସି ଦିନ ସମ୍ପର୍କରେ ଫାଟ ସୃଷ୍ଟି ହୁଏ ଏବଂ ପ୍ରେମ ବିବାହରେ ରୂପାୟିତ ନ ହୁଏ, ସେତେବେଳେ ମହିଳା ଜଣକ ସମ୍ପୃକ୍ତ ପୁରୁଷ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିପାରିବେ ନାହିଁ । ମହିଳାଙ୍କ କହିବା ଅନୁସାରେ ସାମାଜିକ ଗଣମାଧ୍ୟମ ଅର୍କୁଟ ମାଧ୍ୟମରେ ଉଭୟଙ୍କ ଭିତରେ ସମ୍ପର୍କ ସୃଷ୍ଟି ହୋଇଥିଲା ଏବଂ ସେମାନେ ୮ ବର୍ଷ ଧରି ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ ।
ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକ ଜଣକ ତାଙ୍କ ସହ ଦୈହିକ ସମ୍ପର୍କ ରଖି ଆସିଥିଲେ। ଉଭୟଙ୍କ ପରିବାର ମଧ୍ୟ ସେମାନଙ୍କ ସମ୍ପର୍କ ବିଷୟରେ ଜାଣନ୍ତି। କିନ୍ତୁ ଏବେ ସେ ବିବାହ କରିବାକୁ ରାଜି ହେଉ ନାହାନ୍ତି । କୋର୍ଟ କହିଲେ ଯେ, ଉଭୟ ସାବାଳକ ଏବଂ ଏତେ ଦିନର ସମ୍ପର୍କ ଜଣକର ଇଚ୍ଛା ବିରୋଧରେ ରହି ନ ପାରେ । ମହିଳା ଜଣକ ସ୍ବୀକାର କରିଛନ୍ତି ଯେ ସହମତି ଭିତ୍ତିରେ ସେମାନଙ୍କ ମଧ୍ୟରେ ସମ୍ପର୍କ ରହିଥିଲା । ସମ୍ପର୍କ ରଖିବା ପୂର୍ବରୁ ମହିଳା ଜଣକ ଜାଣିଥିଲେ ଯେ ଏହାର ପରିଣତି କ’ଣ ହୋଇପାରେ । ତେଣୁ ଏହାକୁ ଦୁଷ୍କର୍ମ ବୋଲି କୁହାଯାଇ ପାରିବ ନାହିଁ ।
Powered by Froala Editor