ଶ୍ରୀମନ୍ଦିରରେ ବିଦେଶୀ ଭକ୍ତ
ପୁରୀ: ବୁଧବାର ଅପରାହ୍ନ ଚାରିଟା ବେଳେ ଜଣେ ବିଦେଶୀ ଭକ୍ତ ସଂହଦ୍ୱାର ଦେଇ ବଡ଼ଦେଉଳକୁ ପ୍ରବେଶ କରିଥିଲେ । ସାଙ୍ଗରେ ଏକ ଝୁଲା ବ୍ୟାଗ୍ ବି ଧରିଥିଲେ । ଏହି ବ୍ୟାଗକୁ ପୁଲିସ୍ ଯାଞ୍ଚ କରି ଏହିି ବିଦେଶୀ ଭକ୍ତଙ୍କୁ ମନ୍ଦିର ଭିତରକୁ ଛାଡ଼ିଥିଲା ।ପ୍ରତ୍ୟକ୍ଷ ଦର୍ଶୀମାନେ କହିଛନ୍ତି, ବାଇଶି ପାହଚରେ ଚଢ଼ିବା ବେଳେ କିଛି ସେବାୟତ ଏହି ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ । ବାଇଶି ପାହାଚରୁ ଏହି ବିଦେଶୀ ଅନୁପ୍ରବେଶକାରୀ ଫେରିଥିଲେ । ଏହି ଫେରନ୍ତା ଦୃଶ୍ୟକୁ କେହି ଜଣେ ଭିଡିଓ କରିଥିଲେ । ଶ୍ରୀମନ୍ଦିରରେ ପୁଣି ବିଦେଶୀ ଭକ୍ତ ପଶିଲେ ବୋଲି ଖବର ପ୍ରସାର ପ୍ରଚାର ହେବା ପରେ ବି ପୁଲିସର ନିଦ ଭାଙ୍ଗି ନଥିଲା । ଫେରିବା ବାଟରେ ଜୋତା ଷ୍ଟାଣ୍ଡ ସାମ୍ନାରେ ଏହି ଭକ୍ତ କିଛି ସମୟ ଠିଆ ହୋଇଥିଲେ । ତଥାପି ପୁଲିସ ନା ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଫିସର ତାଙ୍କୁ ଧରି ନଥିଲେ କି ଜେରା କରି ନଥିଲେ । ସନ୍ଧ୍ୟା ଆଠଟାରେ ଏହି ଖବର ପ୍ରଚାର ହେବା ପରେ ପୁଲିସ ପ୍ରଶାସନର ଚେତା ପଶିଥିଲା । ବିଦେଶୀ ଭକ୍ତ ସେତେବେଳକୁ ସିଂହଦ୍ୱାର ସାମ୍ନାରୁ ଗାଏବ ହୋଇଯାଇଥିଲେ ।ସିଂହଦ୍ୱାର ପୁଲିସ କହିଛି, ବିଦେଶୀଙ୍କ ପରିଚୟ ମିଳି ପାରିନାହିଁ । ବିଦେଶୀଙ୍କ ମନ୍ଦିର ପ୍ରବେଶ ବିରୋଧରେ ଅପରାଧିକ କାର୍ୟ୍ୟାନୁଷ୍ଠାନର ବ୍ୟବସ୍ଥା ମଧ୍ୟ ନାହିଁ । କେବଳ ଶ୍ରୀମନ୍ଦିର ଆଇନ ଉଲ୍ଲଂଘନ ଅଭିଯୋଗରେ ମାମଲା ହୋଇ ପାରିବ ବୋଲି ସିଂହଦ୍ୱାର ଥାନା ଦାୟିତ୍ୱରେ ଥିବା ଆଇଆଇସି ଗୋକୁଳ ରଞ୍ଜନ ଦାଶ କହିଛନ୍ତି ।
Powered by Froala Editor