ଯୁକ୍ତ୨ ପରୀକ୍ଷା : ୨୦୨ ହବ୍ କରିବାକୁ ନିଷ୍ପତ୍ତି
ଭୁବନେଶ୍ବର : ଫେବ୍ରୁଆରି ପହିଲାରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ତା’ ପୂର୍ବରୁ ପରୀକ୍ଷା ପରିଚାଳନା ହବ୍(ଇଏମ୍ଏଚ୍) ତାଲିକା ଚୂଡ଼ାନ୍ତ ହୋଇଛି। ଏଥର ବି ରାଜ୍ୟର ୨୦୨ଟି ହବ୍ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେଥିମଧ୍ୟରୁ ୨୦୧ଟି କଲେଜରେ ହବ୍ ହୋଇଥିବା ବେଳେ ଗୋଟିଏ ସବ୍-ଟ୍ରେଜେରି କାର୍ୟ୍ୟାଳୟରେ ହବ୍ କରାଯାଇଛି। ପରୀକ୍ଷା ହବ୍ଗୁଡ଼ିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ, ଡିଗ୍ରି କଲେଜ, ସ୍ବୟଂଶାସିତ କଲେଜରେ ହୋଇଛି। ଏଥିସହ ରାୟଗଡ଼ା ଜିଲ୍ଲା କେଶିଙ୍ଗା ସବ୍-ଟ୍ରେଜେରି କାର୍ୟ୍ୟାଳୟରେ ପରୀକ୍ଷା ପରିଚାଳନା ହବ୍ କରାଯିବ। ଗୋଟିଏ ହବ୍ ଅଧୀନରେ ନିକଟସ୍ଥ ୫ରୁ ଅଧିକ ପରୀକ୍ଷା କେନ୍ଦ୍ର ରହିବ।
ଗଞ୍ଜାମରେ ସର୍ବାଧିକ ୧୬ଟି ହବ୍ ହୋଇଥିବା ବେଳେ କଟକରେ ୧୪, ଖୋର୍ଦ୍ଧାରେ ୧୨, ବାଲେଶ୍ବରରେ ୧୧, ମୟୂରଭଞ୍ଜ ଓ ବଲାଙ୍ଗୀରରେ ୯, ବରଗଡ଼, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୮ଟି ଲେଖାଏ, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କଳାହାଣ୍ଡି, ପୁରୀ ଓ ଜଗତ୍ସିଂହପୁରରେ ୭ଟି ଲେଖାଏ, ସମ୍ବଲପୁର ଓ କୋରାପୁଟରେ ୬ଟି ଲେଖାଏ, ଫୁଲବାଣୀ, ନୟାଗଡ଼, ରାୟଗଡ଼ା, ସୋନପୁର ଓ ଭଦ୍ରକରେ ୫ଟି ଲେଖାଏ, ଗଜପତିରେ ୪, ମାଲକାନଗିରି, ନବରଙ୍ଗପୁର, ଝାରସୁଗୁଡ଼ା, ବୌଦ୍ଧ ଓ ନୂଆପଡ଼ାରେ ୩ଟି ଲେଖାଏ ଏବଂ ଦେବଗଡ଼ରେ ୨ଟି ହବ୍ କରାଯାଇଛି। ଉକ୍ତ ହବ୍ଗୁଡ଼ିକରେ ପ୍ରଶ୍ନପତ୍ର ପ୍ୟାକେଟ୍ ରହିବ। ଇଏମ୍ଏଚ୍ରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପ୍ୟାକେଟ୍ ପଠାଯିବ। ଅଧିକାରୀମାନେ ପରୀକ୍ଷା କେନ୍ଦ୍ର ଉପରେ ନଜର ରଖିବେ। ପରୀକ୍ଷା ସରିବା ପରେ ହବ୍ କର୍ତ୍ତୃପକ୍ଷ ଉତ୍ତର ଖାତାଗୁଡ଼ିକୁ ସଂଗ୍ରହ କରିବେ ଏବଂ ସେଗୁଡ଼ିକୁ ନିର୍ଦ୍ଧାରିତ କଲେଜକୁ ମୂଲ୍ୟାୟନ ଲାଗି ପଠାଇବେ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ସମସ୍ତ ପ୍ରଶ୍ନପତ୍ର ହବ୍ ଦ୍ବାରା ପରିଚାଳିତ ହେବ। ସମସ୍ତ ହବ୍ରେ ସିସିଟିଭି ସୁନିଶ୍ଚିତ କରିବାକୁ ଦାୟିତ୍ବରେ ରହିଥିବା ଅଧୀକ୍ଷକମାନଙ୍କୁ ପରିଷଦ ପକ୍ଷରୁ କୁହାଯାଇଛି।
Powered by Froala Editor