ରୋଜଗାର ମେଳା: ଧର୍ମେନ୍ଦ୍ର ବାଣ୍ଟିବେ ନିଯୁକ୍ତିପତ୍ର

ଭୁବନେଶ୍ଵର : ଦେଶରେ ନିଯୁକ୍ତି ଆଶାୟୀ ପ୍ରତିଭାବାନ୍ ଯୁବକ ଯୁବତୀମାନଙ୍କୁ ସରକାରୀ ଚାକିରି ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ଭାରତ ସରକାର ବିଭିନ୍ନ ସ୍ଥାନରେ ରୋଜଗାର ମେଳା ଆୟୋଜନ କରୁଛନ୍ତି। ଶୁକ୍ରଵାର ଓଡ଼ିଶାରେ ଚଳିତ ବର୍ଷର ପ୍ରଥମ ରୋଜଗାର ମେଳା ଅନୁଷ୍ଠିତ ହେବ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ଵରରେ ଆୟୋଜିତ ହେବାକୁ ଥିବା ରୋଜଗାର ମେଳାର ଯୋଗ୍ୟ ମନୋନୀତ ପ୍ରାର୍ଥୀମାନଙ୍କୁ ସରକାରୀ ଚାକିରୀର ନିଯୁକ୍ତିପତ୍ର ବାଣ୍ଟିବେ। ଏମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ନିଯୁକ୍ତି ମିଳିବ। ଭୁବନେଶ୍ଵର ଆଚାର୍ୟ୍ୟ ବିହାର ସ୍ଥିତ ସିଏସଆଇଆର-ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନରେ ଏହି ରୋଜଗାର ମେଳା ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ ଯେ, ଦେଶର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଚାକିରି ଦେବା ଲାଗି ଗତ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ। ପର୍ୟ୍ୟାୟକ୍ରମେ ଦେଶର ବିଭିନ୍ନ ସହରରେ ରୋଜଗାର ମେଳାମାନ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭାରତ ସରକାରଙ୍କ ସମସ୍ତ ମନ୍ତ୍ରାଳୟ ଏବଂ ବିଭାଗ ଖାଲି ରହିଥିବା ଅନୁମୋଦିତ ପଦବୀ ପୂରଣ କରିବା ଲାଗି ମିଶନ ମୋଡରେ କାମ କରୁଛନ୍ତି।
Powered by Froala Editor