ରାଜସ୍ଥାନ ଓ ତେଲାଙ୍ଗାନା ପରେ ଓଡ଼ିଶା ‘ବ୍ଲାକ୍ ଫଙ୍ଗସ୍’କୁ ମହାମାରୀ ଘୋଷଣା କଲା

ବ୍ଲାକ ଫଙ୍ଗସ୍ କୁ ମହାମାରୀ ଘୋଷଣା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ରାଜ୍ୟରେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।
ରାଜ୍ୟ ସରକାର ଗତ ୩ଦିନ ତଳେ ବ୍ଲାକ ଫଙ୍ଗସ୍ ରୋଗର ଲକ୍ଷଣ ଓ ଏହାର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଥିଲେ। ବରିଷ୍ଠ ଡାକ୍ତରମାନଙ୍କୁ ନେଇ ଗଠିତ ଏହି କମିଟି ରାଜ୍ୟ ସରକାରଙ୍କୁ ମୁଖ୍ୟତଃ ୬ଟି ସୁପାରିସ୍ କରିଛି। ସେମାନଙ୍କ ସୁପାରିଶ୍ ଆଧାରରେ ସରକାର ଏହି ବ୍ଲାକ ଫଙ୍ଗସକୁ ମହାମାରୀ ବର୍ଗରେ ଘୋଷଣା କରିଛନ୍ତି। ପୂର୍ବରୁ ତେଲେଙ୍ଗାନା ଓ ରାଜସ୍ଥାନ ସରକାର ଏହାକୁ ମହାମାରୀ ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ଓଡ଼ିଶାରେ ଏପର୍ଯ୍ୟନ୍ତ ୧୧ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। ସମସ୍ତ ରୋଗୀ ଏବେ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ସରକାର ଏହି ସମସ୍ତ ରୋଗୀଙ୍କ ଉପରେ ନଜର ରଖିଛନ୍ତି। ଏହି ରୋଗରେ ସଂକ୍ରମିତ ହେବା ପରେ ରୋଗୀଙ୍କର ଆଖି ନଷ୍ଟ ହୋଇଯାଉଛି । ଏହି ରୋଗରେ ପୀଡିତ ଜଣେ ବ୍ୟକ୍ତିଙ୍କର ଗତକାଲି ଦିଲ୍ଲୀ ମୂଲଚନ୍ଦ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଏହାକୁ ନଜରରେ ରଖି ତେଲେଙ୍ଗାନା ସରକାର ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ନିର୍ଦ୍ଦେଶ ମୁତାବକ ଏହି ରୋଗରେ ପୀଡିତ ହୋଇ ଆସୁଥିବା ଲୋକମାନଙ୍କର ସୂଚନା ତୁରନ୍ତ ସରକାରଙ୍କ ନିକଟରେ ପହଂଚାଇବାକୁ କୁହାଯାଇଛି ।
ଏବେ ବ୍ଲାକ ଫଙ୍ଗସ୍ ପରେ ହ୍ୱାଇଟ୍ ଫଙ୍ଗସ୍ ସଂକ୍ରମଣକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିନ୍ତୁ ଓଡ଼ିଶାରେ ଏପର୍ଯ୍ୟନ୍ତ ହ୍ୱାଇଟ୍ ଫଙ୍ଗସ୍ ସଂକ୍ରମିତ ରୋଗୀ ଚିହ୍ନଟ ହୋଇନାହାନ୍ତି।
Powered by Froala Editor