୨୧ରୁ ସମୁଦ୍ରକୁ ଯାଆନ୍ତୁନି: ଆଏମଡି ଡିଜି

ଭୁବନେଶ୍ୱର: କରୋନା ସମୟରେ ତାଉତେ ପରେ ଆଉ ଏକ ବାତ୍ୟା ‘ୟଶ’ ମାଡ଼ି ଆସୁଛି । ଏହି ବାତ୍ୟା ଭୀଷଣ ବା ଅତିଭୀଷଣ ଆକାରର ହୋଇପାରେ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଅର୍ଥାତ ୨୧ ତାରିଖ ଠାରୁ ସମୁଦ୍ରକୁ ନଯିବାକୁ ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ୨୨ ତାରିଖରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଉତ୍ତରପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଶାନ୍ତ ରହିବ । ଆସନ୍ତା ୨୩ ଓ ୨୪ ତାରିଖରେ ସମୁଦ୍ରରେ ପବନ ୬୦/୭୦ କିମି ରହିବ । ତେଣୁ ୨୧ରୁ ୨୪ ତାରିଖ ଯାଏ ଉତ୍ତରପୂର୍ବ ବଙ୍ଗୋପସାଗର ଯିବା ମନା । ୨୪ରୁ ଉତ୍ତର, ଉତ୍ତର ପଶ୍ଚିମ ବଙ୍ଗୋପସାଗରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।
ଏହା ପୂର୍ବରୁ ପାଣିପାଗ ବିଜ୍ଞାନୀ ତଥା ଆଇଏମଡି ସାଇକ୍ଲୋନ ୱାର୍ଣ୍ଣିଂ ସେଣ୍ଟର ମୁଖ୍ୟ ଆର.କେ ଜେନାମଣି କହିଥିଲେ ଯେ, ଆସନ୍ତା ୨୨ ତାରିଖରେ ବାତ୍ୟା ନେଇ ସଠିକ ଆକଳନ କରାଯାଇପାରିବ । ବାତ୍ୟା ତ ନିଶ୍ଚୟ ହେବ । ତେବେ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ୨୨ ତାରିଖରେ କହିହେବ । ତେବେ ଏହା ଭୀଷଣ ବା ଅତିଭୀଷଣ ଆକାରର ବାତ୍ୟା ହୋଇପାରେ । ୨୨ରେ ସୃଷ୍ଟ ଲଘୁଚାପ ୨୪ରେ ବାତ୍ୟାରେ ରୂପାନ୍ତରିତ ହେବ । ୨୫ରେ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ବାତ୍ୟାର ପ୍ରଭାବ ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ ଅଧିକ ହେବ ବୋଲି ପାଣିପାଗ ବିଜ୍ଞାନୀ ତଥା ଆଇଏମଡି ସାଇକ୍ଲୋନ ୱାର୍ଣ୍ଣିଂ ସେଣ୍ଟର ମୁଖ୍ୟ ଆର.କେ ଜେନାମଣି କହିଥିଲେ ।
Powered by Froala Editor