ଜମିଜମା ସଂକ୍ରାନ୍ତ କାର୍ୟ୍ୟ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ତହସିଲ, ୧ରୁ ନୂଆ ନିୟମ
ଭୁବନେଶ୍ୱର: ଜମିଜମା ସଂକ୍ରାନ୍ତ କାର୍ୟ୍ୟ ପାଇଁ ଏଣିକି ନାଗରିକଙ୍କୁ ଆଉ ତହସିଲ ଦୌଡ଼ିବାକୁ ପଡ଼ିବ ନାହିଁ କିମ୍ବା ବ୍ୟକ୍ତିଗତ ଭାବେ ତହସିଲଦାରଙ୍କ ରାଜସ୍ୱ କୋର୍ଟରେ ହାଜିରା ପକାଇବାକୁ ପଡ଼ିବ ନାହିଁ । ଜମିଜମା ମ୍ୟୁଟେସନ୍ ମାମଲାଠୁ ଆରମ୍ଭ କରି ଜମିର କିସମ ପରିବର୍ତ୍ତନ, ଜମିର ଭାଗ କରାଯିବା, ଜମି ଜବରଦଖଲ ଓ ସରକାରୀ ଜମି ବନ୍ଦୋବସ୍ତ ଆଦି କାର୍ୟ୍ୟରେ ତହସିଲଦାରଙ୍କ ରାଜସ୍ୱ କୋର୍ଟରେ ଆଉ ବ୍ୟକ୍ତିଗତ ହାଜିରା ପକାଇବାକୁ ପଡ଼ିବ ନାହିଁ । ରାଜ୍ୟ ସରକାରଙ୍କ ଇ-ଗଭର୍ଣ୍ଣାନ୍ସ ପଦକ୍ଷେପ ଅନ୍ତର୍ଗତ ନାଗରିକମାନେ ଏଣିକି ଭର୍ଚୁଆଲ ମୋଡରେ ତହସିଲଦାରଙ୍କ ରାଜସ୍ୱ କୋର୍ଟରେ ନିଜର ହାଜିରା ପକାଇ ପାରିବେ । ନଭେମ୍ବର ୧ରୁ ଏହି ଭର୍ଚୁଆଲ ମୋଡ୍ ଅବା ଭିଡିଓ କଲ ମାଧ୍ୟମରେ ହାଜିରା ପକାଇବା ବ୍ୟବସ୍ଥା ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୬୦ଟି ତହସିଲରେ କାର୍ୟ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି ।
ରାଜସ୍ୱ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ତହସିଲଗୁଡ଼ିକରେ ଥିବା ରାଜସ୍ୱ କୋର୍ଟରେ ଭିଡିଓ କନ୍ସଫରେନ୍ସିଂ ମାଧ୍ୟମରେ ହାଜର ହୋଇ ଶୁଣାଣି ପ୍ରକ୍ରିୟାରେ ସାଧାରଣ ଲୋକ ନିଜର ଜମିଜମା ସଂକ୍ରାନ୍ତ କାର୍ୟ୍ୟ ପାଇଁ ସାମିଲ ହୋଇ ପକ୍ଷ ରଖିପାରିବେ । ସରକାରୀ ଅଫିସ୍ ଓ ନାଗରିକଙ୍କ ମଧ୍ୟରେ ବ୍ୟକ୍ତିଗତ ଉପସ୍ଥିତିକୁ ହ୍ରାସ କରିବା ନିମନ୍ତେ ତଥା ନାଗରିକଙ୍କୁ ଯେକୌଣସି ସମୟରେ ଓ ଯେକୌଣସି ସ୍ଥାନରୁ ସରକାରୀ ସୁବିଧା ନେବା ନିମନ୍ତେ ପ୍ରୋତ୍ସାହିତ କରାଇବା ପାଇଁ ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ‘ଇ-ପ୍ରଶାସନ’ କାର୍ୟ୍ୟକ୍ଷମ କରାଯାଇଛି । କେତେକ ବୈଧାନିକ ଆବଶ୍ୟକତାକୁ ବାଦ୍ ଦେଲେ ଭର୍ଚୁଆଲ ମୋଡରେ ଜଣେ ନାଗରିକ ନିଜର ଜମିଜମା ସଂକ୍ରାନ୍ତ କାର୍ୟ୍ୟକୁ ଭର୍ଚୁଆଲ ମୋଡରେ ସମ୍ପାଦନ କରିପାରିବେ । ରାଜ୍ୟ ସରକାର ୨୦୨୨ ନଭେମ୍ବର ୧ରୁ ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୬୦ଟି ତହସିଲର ରାଜସ୍ୱ କୋର୍ଟରେ ଏହି ଭର୍ଚୁଆଲ ଶୁଣାଣି ବ୍ୟବସ୍ଥା କାର୍ୟ୍ୟକ୍ଷମ କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ରାଜସ୍ୱ କୋର୍ଟରେ ଆଉ ଜମିଜମା କାର୍ୟ୍ୟ ନିମନ୍ତେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାକୁ ପଡ଼ିବ ନାହିଁ ।
Powered by Froala Editor