ଝଲସୁଛି ନରେନ୍ଦ୍ର ପୋଖରୀ : ଚାପ ଖେଳୁଛନ୍ତି ମହାପ୍ରଭୁ

ପବିତ୍ର ଅକ୍ଷୟ ତୃତୀୟାରେ ଚାପ ଖେଳୁଛନ୍ତି ମହାବାହୁ । ଶ୍ରୀମନ୍ଦିରରୁ ୩ଟି ଆଜ୍ଞାମାଳ ରଥ ଅନୂକୁଳ ପାଇଁ ପ୍ରଥମେ ନିଆଯାଇଥିଲା । ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚୁ ମହାଦେବ ପାଲିଙ୍କି ଓ ବିମାନରେ ରଥ ଖଳାକୁ ବିଜେ କରିଥିଲେ । ପରେ ରଥଖଳାରେ ରଥ ଅନୂକୁଳ ନୀତି ଅନୁଷ୍ଠିତ ହୋଇଥିଲା । ପରେ ବିମାନ ଓ ପାଲିଙ୍କିରେ ନରେନ୍ଦ୍ର ପୁଷ୍କରିଣୀ ଗସ୍ତ କରିଛନ୍ତି ଶ୍ରୀଜୀଉ ।
ଏଥି ନିମନ୍ତେ ଶ୍ରୀ ମନ୍ଦିର ଫାଣ୍ତି ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟ, ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ବ, ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ପରିସରରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ସହ ୧୪୪ ଧାରା ଜାରି କରାଯାଇଛି । ଏହି କଟକଣା ଶନିବାର ଅପରାହ୍ନ ୩ ଘଟିକା ଠାରୁ ଆସନ୍ତ ଜୁନ ମାସ ୪ ତାରିଖ ରାତ୍ରି ୯ ଘଟିକା ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟ ମଧ୍ୟରେ ବିଧିପାଳନ ଓ ରୀତିକାନ୍ତି ବେଳେ ସଂପୃକ୍ତ ବ୍ୟକ୍ତି ବିଶେଷ ମାସ୍କ ପରିଧାନ ଓ ଯଥାବିଧି ସାମାଜିକ ଦୂରତ୍ବ ରକ୍ଷା କରିବେ।
୨୧ ଦିନ ଧରି ବାହାର ଚନ୍ଦନଯାତ୍ରା ବା ଜଳକ୍ରୀଡ଼ା ଉତ୍ସବ ଆରମ୍ଭ ହେବ । ଏଥି ପାଇଁ ନନ୍ଦା ଓ ଭଦ୍ରା ନାମକ ଦୁଇଟି ନୌକା ସୁସଜ୍ଜିତ କରାଯାଇଛି । କୋଭିଡ କଟକଣା ମଧ୍ୟରେ ସୀମିତ ସେବାୟତ ଓ କର୍ମଚାରୀଙ୍କୁ ନେଇ ଯାତ୍ରାର ଆୟୋଜନ କରାଯାଇଛି ।
Powered by Froala Editor