ଜୁଡ଼ିଆସିଲ ଅଫିସର ପାଇବେ ସଂଶୋଧିତ ଦରମା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟ୍ ଜଷ୍ଟିସ ପି ଭେଙ୍କଟରାମ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠିତ ଦ୍ୱିତୀୟ ଜାତୀୟ ନ୍ୟାୟିକ ଦରମା କମିଶନ ସୁପାରିଶକୁ ଓଡ଼ିଶାରେ କାର୍ୟ୍ୟକାରୀ ନିମନ୍ତେ ଅନୁମୋଦନ କରିଛନ୍ତି । ଫଳରେ ଜିଲ୍ଲା ଓ ତଳସ୍ତରର ଜୁଡ଼ିଆସିଲ ଅଫିସରମାନେ ୨୦୧୬ ଜାନୁୟାରୀ ୧ରୁ ସଂଶୋଧିତ ଦରମା ପାଇବେ । ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହେବା ପରେ ଜୁଡ଼ିସିଆଲ ଅଫିସରମାନଙ୍କ ନିମନ୍ତେ ଦ୍ୱିତୀୟ ଜାତୀୟ ନ୍ୟାୟିକ ଦରମା କମିଶନ ସୁପାରଶକୁ କାର୍ୟ୍ୟକାରୀ କରିବା ନିମନ୍ତେ ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ଭେଙ୍କଟରାମ ରେଡ୍ଡୀ କମିଶନଙ୍କ ସୁପାରିଶକୁ କାର୍ୟ୍ୟକାରୀ କରିବା ଦ୍ୱାରା ଜୁଡ଼ିସିଆଲ ଅଫିସରଙ୍କ ଦରମା ଆଦି ବାବଦରେ ରାଜ୍ୟ ସରକାରଙ୍କୁ ବାର୍ଷିକ ୯୩କୋଟି ଟଙ୍କାର ଅତିରିକ୍ତ ବୋଝ ମୁଣ୍ଡାଇବାକୁ ପଡ଼ିବ ।
ରାଜ୍ୟରେ ଫାଇଭ-ଟି ଓ ମୋ ସରକାର କାର୍ୟ୍ୟକାରୀ ହେବା ପରଠୁ ଜିଲ୍ଲା ଓ ତଳସ୍ତରରେ ରାଜସ୍ୱ ପ୍ରଶାସନରେ ଅଧିକ କାର୍ୟ୍ୟଭାର ବୃଦ୍ଧି ପାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଓଏଏସ୍ ଗ୍ରୁପ-ଏ(କନିଷ୍ଠ ବର୍ଗ) ଗ୍ରେଡରେ ଅତିରିକ୍ତ ୧୨୫ଟି ପଦବୀ ସୃଷ୍ଟି କରାଯାଇ କ୍ୟାଡ଼ର ପଦବୀ ସଂଖ୍ୟାକୁ ୧୩୧୩କୁ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ଏବେ ଓଏଏସ୍ ଗ୍ରୁପ-ଏ(କନିଷ୍ଠ ବର୍ଗ)ରେ କ୍ୟାଡ଼ର ପଦବୀ ସଂଖ୍ୟା ୧୧୮୮ ରହିଛି । ଏହି ବର୍ଦ୍ଧିତ ୧୨୫ଟି ପଦବୀ ମଧ୍ୟରୁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ୨ଟି ଲେଖାଏଁ ଡେପୁଟି କଲେକ୍ଟର ପଦବୀ ଅର୍ଥାତ୍ ୩୦ଟି ଜିଲ୍ଲାରେ ମୋଟ ୬୦ଟି ପଦବୀ ସୃଷ୍ଟି କରାଯିବ । ସେହିପରି ରାଜ୍ୟର ସମସ୍ତ ସବ୍ କଲେକ୍ଟର କାର୍ୟ୍ୟାଳୟରେ ଗୋଟିଏ ଲେଖାଏଁ ଡେପୁଟି କଲେକ୍ଟର ପଦବୀରେ ମୋଟ ୫୮ଟି ପଦବୀ, ବୋର୍ଡ ଅଫ ରେଭନ୍ୟୁରେ ୪ଟି ଅଣ୍ଡର ସେକ୍ରେଟେରୀ ପଦବୀ ଏବଂ ଭୁବନେଶ୍ୱର,ପାରାଦୀପ ଓ ରାଉରକେଲା ଏଡ଼ିଏମ ଅଫିସରେ ଜଣେ ଲେଖାଏଁ ଡେପୁଟି କଲେକ୍ଟର ପଦବୀ ନିମନ୍ତେ ଏହି ୧୨୫ଟି ଓଏଏସ(କନିଷ୍ଠ ବର୍ଗ) କ୍ୟାଡ଼ର ପଦବୀ ସୃଷ୍ଟି ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ସେହିପରି ଓଡ଼ିଶା ପାଣି ପଂଚାୟତ ଆଇନ-୨୦୦୨ର ସଂଶୋଧନକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଓଡ଼ିଶା ପାଣି ପଂଚାୟତକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ପାଇଁ ଏହି ସଂଶୋଧନ ହୋଇଛି । ଏବେ ରାଜ୍ୟରେ ମେଗା ଉଠାଜଳସେଚନ ପ୍ରକଳ୍ପଗୁଡ଼ିକ କାର୍ୟ୍ୟକ୍ଷମ ହୋଇଛି । ୫୦୦ରୁ ୨ହଜାର ହେକ୍ଟର ଭିତରେ ହେଉଥିବା ମେଗା ଉଠାଜଳସେଚନ ପ୍ରକଳ୍ପରେ ପାଣି ପଂଚାୟତ ଗଠନ ଓ ଶୀର୍ଷ କୃଷକ ସଂଗଠନକୁ ସୁନିଶ୍ଚିତ କରାଯିବ । ସେହିପରି ଜଳସେଚନର ସୁବିଧା ପାଉଥିବା ଚାଷୀ ବା ଜମି ମାଲିକମାନଙ୍କର ପତି-ପତ୍ନୀଙ୍କୁ ସାମିଲ ସହ ମହିଳାଙ୍କ ଭାଗିଦାରୀ ପାଣି ପଂଚାୟତରେ ଓ ଅନ୍ୟ ଚାଷୀ କମିଟିରେ ବୃଦ୍ଧି କରିବାକୁ ପ୍ରାବଧାନ ହୋଇଛି । ଏହାସହିତ ୩ବର୍ଷ ଓ ୬ବର୍ଷର ସନ୍ଦେହକୁ ଦୂର କରି ସମସ୍ତଙ୍କୁ ସମାନ କରିବା ନିମନ୍ତେ ଚକ କମିଟି ଓ ପାଣି ପଂଚାୟତର କାର୍ୟ୍ୟକାଳକୁ ୫ବର୍ଷକୁ ବୃଦ୍ଧି କରାଯାଇଛି ।
ସେହିପରି ଓଡ଼ିଶା ଭେଟେନାରୀ ସର୍ଭିସ ରୁଲସରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଏହାଫଳରେ ଭେଟେନାରୀ ଡାକ୍ତରମାନେ ଏଣିକି ନିଯୁକ୍ତି ବେଳେ ଅନ୍ୟ ମେଡିକାଲ ଅଫିସର, ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କ ଭଳି କେବଳ ଲିଖିତ ପରୀକ୍ଷା ଦେବେ । ଓପିଏସସି ଦ୍ୱାରା ଚୟନ ହେଉଥିବା ଆସିଷ୍ଟାଣ୍ଟ ଭେଟେନାରୀ ସର୍ଜନ ପଦବୀ ପରୀକ୍ଷାରେ ଭେଟେନାରୀ ଡାକ୍ତରମାନେ କେବଳ ଲିଖିତ ପରୀକ୍ଷା ଦେବେ ଓ ସେମାନଙ୍କୁ ଆଉ ମୌଖିକ ପରୀକ୍ଷା(ସାକ୍ଷାତକାର) ଦେବାକୁ ପଡ଼ିବ ନାହିଁ ।
Powered by Froala Editor