ସେନାରୁ ନିଶ୍ଚିହ୍ନ ହୋଇଯିବ ବ୍ରିଟିଶର ସବୁ ଚିହ୍ନ : ବଦଳିବ ପୋଷାକ ଓ ରେଜିମେଣ୍ଟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ନୂତନ ନୌସେନା ପତାକା ଉନ୍ମୋଚନ କରିଛନ୍ତି। ପତାକାରେ ବ୍ରିଟିଶ ଶାସନର ପ୍ରତୀକ ରେଡକ୍ରସ ହଟାଯାଇଛି। ସେନା ଏହାକୁ ସମ୍ପୂର୍ଣ୍ଣ ରୂପେ ହଟାଇବ। ଫଳରେ ଆଗକୁ ସେନାର ପୋଷାକ ଓ ରେଜିମେଣ୍ଟ ନାମରେ ପରିବର୍ତ୍ତନ ଦେଖିବାକୁ ମିଳିବ। ବର୍ତ୍ତମାନ ଆଲୋଚନା ହେଉଛି ଯେ ସେନାରେ ଥିବା ସେହି ସମସ୍ତ ଚିହ୍ନକୁ ଶେଷ କରିବାକୁ ପ୍ରସ୍ତୁତି ଚାଲିଛି, ଯାହା ଆମକୁ ବ୍ରିଟିଶ ଶାସନକୁ ମନେ ପକାଇଥାଏ।
ଉଲ୍ଲେଖଯୋଗ୍ୟ ଯେ ସେନା ମୁଖ୍ୟ ମନୋଜ ପାଣ୍ଡଙ୍କ ନେତୃତ୍ୱରେ ଭାରତୀୟ ସେନା ଔପନିବେଶୀୟ ପ୍ରଥା ସହିତ ୟୁନିଟ୍ ଓ ରେଜିମେଣ୍ଟର ନାମ ସମାପ୍ତ କରିବାର ପ୍ରକ୍ରିୟା ଆରମ୍ଭ କରିଦେଇଛି। ସେନାର ଏକ ଡକ୍ୟୁମେଣ୍ଟରେ ଉତ୍ତରାଧିକାରରେ ମିଳିଥିବା କିଛି ପ୍ରଥାର ଏବେ ସମୀକ୍ଷା ଆବଶ୍ୟ ପଡୁଛି,ଏଥିରେ ଉପନିବେଶିକ ଓ ପୂର୍ବ ଉପନିବେଶ କାଳରୁ ଚଳି ଆସୁଥିବା କିଛି ରିତିନୀତି ଓ ପରମ୍ପରା, ସେନା ପୋଷାକ ଓ ପରିଧାନ, ନିୟମ, କାନୁନ, ନୀତି, ସ୍ଥାପିତ ୟୁନିଟ୍ ଔପନିବେଶିକ ଅତୀତର ଅନୁଷ୍ଠାନ, ୟୁନିଟର ଇଂରାଜୀ ନାମ, ଭବନ, ପ୍ରତିଷ୍ଠାନ, ସଡକ ଓ ପାର୍କ ଆଦିର ନାମ ବଦଳାଇବା ଏଥିରେ ସାମିଲ ବୋଲି କୁହାଯାଇଛି।
ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ସମୟରେ କାନ୍ଧରେ ଥିବା ଦଉଡିଟି ରହିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏହା ବ୍ୟତୀତ ରେଜିମେଣ୍ଟର ନାମ ମଧ୍ୟ ବିଚାର କରାଯିବ। ଶିଖ, ଗୋରଖା, ଜାଟ, ପଞ୍ଜାବ, ଡୋଗ୍ରା, ରାଜପୁତ ଏବଂ ଆସାମ ପରି ପଦାତିକ ରେଜିମେଣ୍ଟର ନାମ ବ୍ରିଟିଶମାନଙ୍କ ଦ୍ୱାରା ହୋଇଥିଲା।
ଗତ ବର୍ଷ ମିଳିତ କମାଣ୍ଡରଙ୍କ ଏକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଶସ୍ତ୍ର ବାହିନୀରେ ନୀତି, ପ୍ରଣାଳୀ ଏବଂ ରୀତିନୀତିର ସ୍ବଦେଶୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ।
Powered by Froala Editor