ଜାତୀୟ ହାରଠାରୁ ବି ଓଡ଼ିଶାରେ ଆତ୍ମହତ୍ୟା ହାର ଅଧିକ ପ୍ରତିଶତ
କଟକ : ଓଡ଼ିଶାରେ ଆତ୍ମହତ୍ୟାର ସ୍ଥିତି ଏବେ ଜାତୀୟ ହାରଠାରୁ ବି ଅଧିକ ରହୁଛି। ଦେଶରେ ଆତ୍ମହତ୍ୟା ହାର ୧୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହାର ରହିଛି ୧୨.୩ ପ୍ରତିଶତ। ବିଶ୍ବସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ମୁତାବକ ସାରାବିଶ୍ବରେ ବର୍ତ୍ତମାନ ପ୍ରତି ବର୍ଷ ୧୦ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ଅର୍ଥାତ ପ୍ରତିଦିନ ୩ ହଜାର ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଛନ୍ତି। ଯେତେ ଲୋକ ଆତ୍ମହତ୍ୟାରେ ପ୍ରାଣ ହରାଉଛନ୍ତି, ତାହାର ୨୦ ଗୁଣରୁ ଅଧିକ ଲୋକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି।
ତଥ୍ୟ ଅନୁଯାୟୀ, ଗତବର୍ଷ ଓଡ଼ିଶାରେ ୫୬୫୧ ଜଣ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୪୪୧୨ଜଣ ପୁରୁଷ ଓ ୧୨୩୯ ଜଣ ମହିଳା। କିନ୍ତୁ ଉଦ୍ବେଗର କାରଣ ହେଉଛି, ୨୦୨୦ ତୁଳନାରେ ୨୦୨୧ ମସିହାରେ ଓଡ଼ିଶାରେ ଆତ୍ମହତ୍ୟା ଦୁଇ ପ୍ରତିଶତ ବୃଦ୍ଧି ପାଇଛି। ଓଡ଼ିଶାରେ ଯେତିକି ଲୋକ ଆତ୍ମହତ୍ୟା କରୁଛନ୍ତି, ସେଥିରୁ ୭୧ ପ୍ରତିଶତ ଲୋକ ବିଭିନ୍ନ ପାରିବାରିକ ସମସ୍ୟା ଯୋଗୁଁ ହିଁ ଆତ୍ମହତ୍ୟା କରୁଛନ୍ତି। ଯାହାକି ସାରାଦେଶରେ ସର୍ବାଧିକ। ପାରିବାରିକ କଳହ ଯୋଗୁଁ ଓଡ଼ିଶାରେ ୪୦୩୩ ଜଣ ଆତ୍ମହତ୍ୟା କରିଥିବା ବେଳେ ବୈବାହିକ ସମ୍ପର୍କରେ ତିକ୍ତତା ଯୋଗୁଁ ୧୩୪ ଜଣ ଆତ୍ମହତ୍ୟା କରିଛନ୍ତି। ସେହିଭଳି ପରୀକ୍ଷାରେ ଖରାପ ପ୍ରଦର୍ଶନ ଯୋଗୁଁ ୧୩୫ ଜଣ ଆତ୍ମହତ୍ୟା କରିଛନ୍ତି। ପ୍ରେମ ସମ୍ପର୍କରେ ବିଫଳତା ଯୋଗୁଁ ୧୩୨ ଜଣ ଆତ୍ମହତ୍ୟା କରିଛନ୍ତି ଓ ବିଭିନ୍ନ ରୋଗ ଯୋଗୁଁ ୯୧ ଜଣ ଆତ୍ମହତ୍ୟା କରିଛନ୍ତି।
Powered by Froala Editor