ଏଥର ହବିଷ୍ୟାଳିଙ୍କୁ ମିଳିଛି ଗ୍ରୀନ୍ ସିଗନାଲ, ପୁରୀ ଯିବାକୁ ଅନୁମତି
ପୁରୀ: ଆସନ୍ତା ଅକ୍ଟୋବର ୧୦ତାରିଖରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ । କରୋନା କଟକଣା ଯୋଗୁଁ ୨ ବର୍ଷ କାଳ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିଥିବା ବେଳେ ପୁରୀ ଯିବାକୁ ହବିଷ୍ୟାଳୀଙ୍କୁ ବାରଣ କରାଯାଇଥିଲା। ହେଲେ ଚଳିତ ବର୍ଷ ସ୍ଥିତି ସାମାନ୍ୟ ଥିବାରୁ ଏଥର ହବିଷ୍ୟାଳିଙ୍କୁ ମିଳିଛି ଗ୍ରୀନ୍ ସିଗନାଲ । ୨ ବର୍ଷର ବ୍ୟବଧାନ ପରେ ଏଥର କାର୍ତ୍ତିକ ବ୍ରତ ଅବସରରେ ପ୍ରଶାସନ ପକ୍ଷରୁ ପୁରୀରେ ହବିଷ୍ୟାଳୀ ଶିବିର କରାଯିବ । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଥିବା କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।
ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପର୍ୟ୍ୟଟନ ଅଧିକାରୀ, ପୂର୍ତ୍ତ ବିଭାଗ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଓ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଆୟୋଜିତ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ, କାର୍ତ୍ତିକ ବ୍ରତଧାରୀ କାର୍ତ୍ତିକ ବ୍ରତଠାରୁ ଏକ ମାସ ଧରି ନରେନ୍ଦ୍ର କୋଣରେ ଥିବା ବୃନ୍ଦାବତୀ ନିବାସରେ ରହିବେ। ଏହି ନିବାସରେ ପ୍ରାୟ ୨ ହଜାର ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଉଛି। ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି।
ପ୍ରତିଦିନ ହବିଷ୍ୟାଳୀଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ସୁରକ୍ଷିତ ସ୍ନାନ ସହ ସୁରକ୍ଷା ବ୍ୟବସ୍ଥା ଏବଂ କାର୍ତ୍ତିକ ପୂରାଣ ପ୍ରବଚନର ବ୍ୟବସ୍ଥା କରାଯିବ । ନୂତନ ଗୃହରେ ଏହା କରାଯାଉଥିବାରୁ ବିଶେଷ ଦୃଷ୍ଟି ଦିଆଯାଉଛି । ସେଥିପାଇଁ ରେଜିଷ୍ଟ୍ରେସନ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
Powered by Froala Editor