ଦରମା ବୃଦ୍ଧି କରିବାକୁ ବିଧାୟକଙ୍କ ଦାବି
ଭୁବନେଶ୍ୱର: ବିଧାନସଭାରେ ଉଠିଲା ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ବିଜେପି,କଂଗ୍ରେସ ଓ ବିଜେଡି । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଆଜି ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଶେଷ ଥର ପାଇଁ ୧୩.୯.୨୦୧୭ ତାରିଖରେ ବିଧାୟକ ମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା । ଆଉ ଏବେ ସବୁ ରେଟ୍ ବି ବଢିଛି ତେଣୁ ବିଧାୟକ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ସେ ଦାବି କରିଛନ୍ତି ।ଅନ୍ୟ ରାଜ୍ୟର ବିଧାୟକ ମାନେ ଅଧିକ ଟଙ୍କା ଦରମା ପାଉଥିବା ବେଳେ ଆମ ରାଜ୍ୟରେ ତାହା ବହୁତ କମ୍ ରହିଛି । ଓଡ଼ିଶାରେ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚକୁ ମିଶାଇ ମୋଟ ୯୯ ହଜାର ୮୦୦ ଟଙ୍କା ରହିଛି ତେଣୁ ତାକୁ ବଢାଯାଉ ବୋଲି ବିଧାୟକ ଦାବି କରିଛନ୍ତି । ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଦରମା ବଢ଼ାଇବାକୁ ଦାବି କରିଛନ୍ତି । ସେ କହିଛନ୍ତି , ବିଧାୟକମାନେ ଅନେକ ସାମାଜିକ କାର୍ୟ୍ୟକ୍ରମକୁ ଯାଉଛନ୍ତି ତେଣୁ ଖର୍ଚ୍ଚ ବଢୁଛି । ଏହାସହ ପୂର୍ବତନ ବିଧାୟକମାନେ ପେନସନ ମାତ୍ର ୩୦ ହଜାର ପାଉଛନ୍ତି ତେଣୁ ଉଭୟ ପୂର୍ବତନ ବିଧାୟକଙ୍କ ପେନସନ ଏବଂ ବିଧାୟକ ମାନଙ୍କ ଦରମା ବଢ଼ାଇବାକୁ ଦାବି କରିଛନ୍ତି ତାରା ।
Powered by Froala Editor