ବାର୍ହା ଆକ୍ରମଣରେ 9 ଆହତ
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅର୍ନ୍ତଗତ ବାଘମୁଣ୍ଡା ଗାଁରେ ବାର୍ହା ଆକ୍ରମଣରେ ନଅ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବାର୍ହାଟି ଜଣେ ଗ୍ରାମବାସୀଙ୍କ ଗୁପ୍ତାଙ୍ଗକୁ କାମୁଡ଼ି ଦେଇଥିବା ବେଳେ ଆଉ କାହାର ହାତ, ଜଙ୍ଘ ଓ ଗୋଡ଼କୁ କାମୁଡି ଦେଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଗାଁ ଦାଣ୍ଡରେ କିଛି ଗ୍ରାମବାସୀ ନିଆଁ ପୁହିଁ ହୋଇ ବସିଥିଲେ। ଏହି ସମୟରେ ଏକ ଜଙ୍ଗଲୀ ବାର୍ହା ଗାଁ ଭିତରକୁ ପଶି ଆସି ଅତର୍କିତ ଭାବେ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲା। ଏଥିରେ ନଅ ଜଣ ଗ୍ରାମବାସୀ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତିନି ଜଣ ଗ୍ରାମବାସୀଙ୍କ ଅବସ୍ଥାରେ ଗୁରୁତର ଥିବାରୁ ସେମାନଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି।
Powered by Froala Editor