ନିର୍ବାଚନ ବେଳେ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ମିଳିବ ୩୦ ଲକ୍ଷ
ପଞ୍ଚାୟତ ନିର୍ବାଚନ ପାଇଁ ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ ମତଦାନ। ମୋଟ ୫ଟି ପର୍ଯ୍ୟାୟରେ ରାଜ୍ୟରେ ନିର୍ବାଚନ ହେବ । ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁଥିପାଇଁ ହଜାର ହଜାର ସରକାରୀ କର୍ମଚାରୀ ନିୟୋଜିତ ହେବେ। ତେବେ ଏହି କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ପୂର୍ବରୁ ଥିବା ମୃତ୍ୟୁଜନିତ ଅନୁକମ୍ପା ରାଶି ବଢାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ।
ରାଜ୍ୟ ନିର୍ବାଚନ କମିଶନ କରିଥିବା ଘୋଷଣା ଅନୁଯାୟୀ, ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ ଅସାମାଜିକ ତତ୍ତ୍ୱ ବା ଚରମପନ୍ଥୀଙ୍କ ଦ୍ୱାରା ସଂଘଠିତ ହିଂସାକାଣ୍ଡ, ବୋମା ବିସ୍ଫୋରଣ ଓ ସଶସ୍ତ୍ର ଆକ୍ରମଣରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରଶି ପ୍ରଦାନ କରାଯିବ। ହିଂସାକାଣ୍ଡ, ବୋମା ବିସ୍ଫୋରଣ ଓ ସଶସ୍ତ୍ର ଆକ୍ରମଣରେ କୌଣସି ସରକାରୀ କର୍ମଚାରୀ ଭିନ୍ନକ୍ଷମ (ଉଦାହରଣ ସ୍ୱରୂପ ଗୋଡ଼ ବା ଦୃଷ୍ଟିଶକ୍ତି ହରାଇବା) ହୋଇଗଲେ ତାଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ।
ସେହିଭଳି ନିର୍ବାଚନ ଡ୍ୟୁଟିରେ ଥାଇ ଅନ୍ୟ କୌଣସି କାରଣରୁ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ। କୌଣସି ଦୁର୍ଘଟଣା କାରଣରୁ ଦିବ୍ୟାଙ୍ଗ ହୋଇଗଲେ ସାଢେ ୭ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ। ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ କୌଣସି କର୍ମଚାରୀ ଦୁର୍ଘଟଣାଗ୍ରସ୍ତ ହୋଇ ବା ଅନ୍ୟ କୌଣସି କାରଣରୁ ଗୁରୁତର ଆହତ ହେଲେ ତାଙ୍କୁ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯିବ।
ନିର୍ବାଚନ ଡ୍ୟୁଟି ସମୟରେ କୌଣସି କର୍ମଚାରୀ କରୋନାରେ ଆକ୍ରାନ୍ତ ହେଲେ ତାଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ। ଏହାବାଦ୍ ନିର୍ବାଚନ ଡ୍ୟୁଟି କରୁଥିବା କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହେଲେ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ। ଏହି ସବୁ ବ୍ୟବସ୍ଥା ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହେଉଥିବା ଉଭୟ ସରକାରୀ ଓ ବେସରକାରୀ ଗାଡ଼ି ଡ୍ରାଇଭର ମାନଙ୍କ କ୍ଷେତ୍ରରେ ବି ଲାଗୁ ହେବ। ନିର୍ବାଚନ ସମୟରେ ଡ୍ୟୁଟିରେ ଥିବା ଅଧିକାରୀ ଅନେକ ସମୟରେ ହିଂସାକାଣ୍ଡର ଶିକାର ହୋଇଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ କମିସନ।
Powered by Froala Editor