ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଇଣ୍ଡୋନେସିଆ ସଂସଦକୁ ସମ୍ବୋଧନ କରିବା ଅବସରରେ ସେଠାକାର ସ୍ୱାଧୀନତା ଆନ୍ଦୋଳନରେ ବିଜୁ ପଟ୍ଟନାୟକଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ । କହିଥିଲେ ଇଣ୍ଡୋନେସିଆର ନେତାମାନଙ୍କୁ ବିଜୁ ପଟ୍ଟନାୟକ ଯେଭଳି ଭାବେ ସୁରକ୍ଷିତ ଉଦ୍ଧାର କରି ଭାରତକୁ ନେଇଥିଲେ ସେଥିଯୋଗୁ ଦୁଇଦେଶର ସମ୍ପର୍କ ସବୁଦିନ ପାଇଁ ମଜଭୁତ ହୋଇପାରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଭାରତଇଣ୍ଡୋନେସିଆ ଆଜି ଯେଉଁ ମଭଭୁତ ଭାଗିଦାରୀ ସହ ଆଗକୁ ବଢ଼ୁଛନ୍ତି ସେଥିରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସେହି ସମୟରେ ବିଜୁ ପଟ୍ଟନାୟକ ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ଇଣ୍ଡୋନେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ସୁତାନ ଶାହରିର ଓ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଭାରତ ଆଣିଥିଲେ । ବିଜୁ ପଟ୍ଟନାୟକଙ୍କ ଏହି ସାହସିକ ପଦକ୍ଷେପ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କକୁ ଆହୁରି ନିବିଡ କରିଛି ।
ସୂଚନାଯୋଗ୍ୟ ଯେ ବିଜୁ ପଟ୍ଟନାୟକ ରାଜନୀତିକୁ ଆସିବା ପୂର୍ବରୁ ଜଣେ କୁଶଳୀ ପାଇଲଟ ଭାବେ ପରିଚିତ ଥିଲେ। ଇଣ୍ଡୋନେସିଆ ୧୯୪୫ ଅଗଷ୍ଟ ୧୭ ତାରିଖରେ ସ୍ୱାଧୀନତା ଲାଭ କରିଥିଲା । କିନ୍ତୁ ଡଚ୍ ଶାସନ ବିରୋଧରେ ୪ ବର୍ଷ ଧରି ସାମରିକ ଓ କୂଟନୈତିକ ସଂଘର୍ଷ ଜାରି ରଖିଥିଲା । ଯାହା ଇଣ୍ଡୋନେସିଆର ଜାତୀୟ ବିପ୍ଳବ ଭାବେ ପରିଚିତ । ଶେଷରେ ନେଦରଲାଣ୍ଡ ୧୯୪୯ ଡିସେମ୍ବରରେ ଇଣ୍ଡୋନେସିଆର ସାର୍ବଭୌମତ୍ୱକୁ ସ୍ୱୀକାର କରିଥିଲା ।
୧୯୪୭ରେ ଇଣ୍ଡୋନେସିଆର ସ୍ୱାଧୀନତା ଆନ୍ଦୋଳନରେ ବିଜୁ ପଟ୍ଟନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେତେବେଳେ ଜଣେ ଦକ୍ଷ ପାଇଲଟ ତଥା କଳିଙ୍ଗ ଏୟାର ଲାଇନ୍ସର ପ୍ରତିଷ୍ଠାତା ଥିବା ବିଜୁ ପଟ୍ଟନାୟକ ତାଙ୍କର ଡାକୋଟା ଡିସି-୩ ବିମାନ ଧରି ଡଚ୍ ନିୟନ୍ତ୍ରିତ ଅଞ୍ଚଳରେ ଅବତରଣ କରିଥିଲେ । ସେଠାରେ ସେ ଡଚ୍ ସୈନ୍ୟ ବାହିନୀକୁ ଚକ୍ମା ଦେଇ ସୁତାନ ଶାହରିର ଓ ମହମ୍ମଦ ହଟ୍ଟାଙ୍କ ସମେତ ଇଣ୍ଡୋନେସିଆର ଜାତୀୟତାବାଦୀ ନେତାମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ଭାରତ ଆଣିଥିଲେ । ବିଜୁ ପଟ୍ଟନାୟକଙ୍କ ଏହି ସାହସିକ ପଦକ୍ଷେପ ଦୁଇଦେଶର ସମ୍ପର୍କକୁ ସୁଦୃଢ଼ କରିଥିଲା । ବିଜୁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆ ଭୂମିପୁତ୍ର ଉପାଧିରେ ସମ୍ମାନିତ ମଧ୍ୟ କରିଥିଲା ।
Powered by Froala Editor