ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ
ଜାକର୍ତ୍ତା : ଇଣ୍ଡୋନେସିଆ ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାଭାସ୍ଥିତ ଏକ ହଜାର ବର୍ଷ ପୁରୁଣା ପ୍ରମ୍ବାନନ ହିନ୍ଦୁ ମନ୍ଦିରକୁ ଯାଇ ବୁଧବାର ପୂଜାର୍ଚ୍ଚନା କରିଛନ୍ତି। ତ୍ରିମୂର୍ତ୍ତି (ଶିବ, ବିଷ୍ଣୁ ଓ ବ୍ରହ୍ମା)ଙ୍କୁ ସମର୍ପିତ ଏହି ମନ୍ଦିରକୁ ମୋଦୀଙ୍କ ସହ ଇଣ୍ଡୋନେସିିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋ ଯାଇଥିଲେ।
ମୋଦୀ ଓ ସୁବିଆଣ୍ଟୋ ହେଲିକପ୍ଟର ଯୋଗେ ପ୍ରମ୍ବାନନ ମନ୍ଦିରକୁ ଯାଇଥିଲେ। ଆକାଶମାର୍ଗରୁ ମନ୍ଦିରର ଏକ ଭିଡିଓ ପ୍ରଧାନମନ୍ତ୍ରୀ ମୋଦୀ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ସୂଚନାଥାଉ କି ଇଣ୍ଡୋନେସିଆରେ ଥିବା ବିଭିନ୍ନ ମନ୍ଦିରର ପୁନଃଉଦ୍ଧାର ଓ ରକ୍ଷାଣବେକ୍ଷଣ ନିମନ୍ତେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି। ଜାଭାସ୍ଥିତ ପ୍ରମ୍ବାନନ ମନ୍ଦିର ଇଣ୍ଡୋନେସିଆର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର। ଏହି ମନ୍ଦିରଟି ପ୍ରାୟ ୪୦ ହେକ୍ଟର ଜମିରେ ହୋଇଥିବା ବେଳେ ଏଥିରେ ଶତାଧିକ ଛୋଟ ମନ୍ଦିର ରହିଛି। ନବମ ଶତାବ୍ଦୀରେ ଏହି ମନ୍ଦିରଟି ନିର୍ମାଣ ହୋଇଥିଲା। ତତ୍କାଳୀନ ହିନ୍ଦୁ ରାଜ ରାକାଇ ପିକାଟାନଙ୍କ ସମୟରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ତାଙ୍କ ଉତ୍ତରାଧିକାରୀ ରାଜା ଲୋକପାଳଙ୍କ ସମୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଏହି ମନ୍ଦିର ପରିସରର ମଧ୍ୟଭାଗରେ ହିନ୍ଦୁ ଦେବତା ଶିବ, ବିଷ୍ଣୁ ଓ ବ୍ରହ୍ମାଙ୍କ ୩ଟି ବିଶାଳ ମନ୍ଦିର ରହିଛି। ସେଥିମଧ୍ୟରୁ ୪୭ ମିଟର ଉଚ୍ଚ ଶିବ ମନ୍ଦିର ସବୁଠାରୁ ଉଚ୍ଚ। ମନ୍ଦିର କାନ୍ଥରେ ହିନ୍ଦୁ ମହାଗ୍ରନ୍ଥ ରାମାୟଣ ସହ ଅନ୍ୟାନ୍ୟ ପୌରାଣିକ ଗ୍ରନ୍ଥର ବିଷୟବସ୍ତୁକୁ ନେଇ ସୁନ୍ଦର କାରୁକାର୍ଯ୍ୟ ରହିଛି।
Powered by Froala Editor