ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ଉତ୍ତେଜନା: ଅଣ୍ଡାମାଡ଼ ସହ ଦେଲେ ‘ଚୋର, ଚୋର’ ସ୍ଲୋଗାନ
କଲକାତା: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ନେତୃତ୍ୱରେ ବୁଧବାର ଆୟୋଜିତ ଏକ ପ୍ରତିବାଦ ଶୋଭାଯାତ୍ରା ସମୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏହି ଶୋଭାଯାତ୍ରା ଉପରକୁ ଅଣ୍ଡା ମାଡ଼ କରାଯିବା ସହ ‘ଚୋର, ଚୋର’ ସ୍ଲୋଗାନ ଦିଆଯାଇଥିବା ଅଭିଯୋଗ ହୋଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି। ଦକ୍ଷିଣ ୨୪ ପ୍ରଗଣା ଜିଲାର ବାରୁଇପୁରଠାରେ ନାବାଳିକାକୁ ବଳାତ୍କାର ଓ ହତ୍ୟା ଘଟଣାର ପ୍ରତିବାଦରେ ଟିଏମସି ପକ୍ଷରୁ କଲକାତାର ବାଲିଗଞ୍ଜ ଫାଡ଼ିରୁ ହାଜରା ପର୍ଯ୍ୟନ୍ତ ଏହି ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା। ହାଇକୋର୍ଟଙ୍କ ଅନୁମତି କ୍ରମେ ଆୟୋଜିତ ଏହି ଶୋଭାଯାତ୍ରା ଆରମ୍ଭ ହେବା ମାତ୍ରେ ବିଜେପି ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ରାଲି ଉପରକୁ ଅଣ୍ଡା ମାଡ କରାଯିବା ସହ ଟିଏମସି ବିରୋଧରେ ‘ଚୋର-ଚୋର’ ସ୍ଲୋଗାନ ଦେଇଥିଲେ ବିରୋଧୀ। ମମତା ବାନାର୍ଜୀଙ୍କ ବାସଭବନ ନିକଟସ୍ଥ ହାଜରା କ୍ରସିଂଠାରେ ଏହି ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା। ଏହି ସମୟରେ ମମତା କ୍ରୋଧିତ ହୋଇ ଦଳର ଜଣେ କର୍ମୀଙ୍କୁ ଚାପୁଡା ମାରିଥିଲେ। ଶୋଭାଯାତ୍ରାରେ ଟିଏମସିର ଅନେକ କର୍ମୀ ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନା ନେବା ଲାଗି ଗାଡିର ବ୍ୟବସ୍ଥା କରିବାକୁ ମମତା ନିଜେ ଆଗକୁ ଆସିଥିଲେ। ଏହି ସମୟରେ ମମତାଙ୍କୁ ସୁରକ୍ଷା ଦେବା ଲାଗି ଘେରି ରହିଥିବା କର୍ମୀଙ୍କ ମଧ୍ୟରୁ ଜଣଙ୍କୁ ସେ ଚାପୁଡା ମାରିଥିଲେ।
Powered by Froala Editor