ତୃତୀୟ ଲହର ମୁକାବିଲା, ଏହି ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବିଭିନ୍ନ ଦେଶ ଓ ରାଜ୍ୟରେ ତୃତୀୟ ଲହରର ସଂକ୍ରମଣ ହାର ଅଧିକ ଥିବାରୁ ଆମ ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ନିମନ୍ତେ ଅଧିକ ମାତ୍ରାରେ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଆବଶ୍ୟକୀୟ ଔଷଧ, ପରୀକ୍ଷା ଉପକରଣ, ଚିକିତ୍ସା ସରଞ୍ଜାମ, ଅକ୍ସିଜେନ୍ ଆଦି ଆଗୁଆ ଉପଲବ୍ଧ ରଖିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା, ପୌରାଞ୍ଚଳ ଏବଂ ହସ୍ପିଟାଲ ସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ପୂର୍ଣ୍ଣ ନିଷ୍ଠା ଓ ସହୃଦୟତାର ସହ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।ଲୋକସେବା ଭବନରୁ ଭିସି ଜରିଆରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ପୌର କମିଶନର, ସରକାରୀ ଏବଂ ଘରୋଇ ହସ୍ପିଟାଲ ମାନଙ୍କ ସହ ମୁଖ୍ୟ ଶାସନ ସଚିବ ଆଲୋଚନା କରିଛନ୍ତି । ଏକ ସପ୍ତାହ ମଧ୍ୟରେ ସମସ୍ତ ବେଡ୍, ଆଇ.ସି.ୟୁ, ଆମ୍ବୁଲାନ୍ସ୍, ଆଦି ପୂର୍ଣ୍ଣ ପ୍ରସ୍ତୁତ କରିବା ତୁରନ୍ତ ଚିକିତ୍ସା ଦେବା ପାଇଁ ତାଲିମପ୍ରାପ୍ତ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ ସହାୟକ ଷ୍ଟାପ ମାନଙ୍କୁ ମୁତୟନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।ସମସ୍ତ ଜିଲ୍ଲା, ପୌରାଞ୍ଚଳ ସମେତ ରାଜ୍ୟ ସ୍ତରରେ ନିର୍ଦ୍ଧାରିତ ପ୍ରୋଟକଲ୍ ଅନୁଯାୟୀ ରାପିଡ୍ ରେସ୍ପନ୍ସ୍ ଟିମ୍, କଲ୍ ସେଣ୍ଟର, ନିୟନ୍ତ୍ରଣ କକ୍ଷ, ଆମ୍ବୁଲାନ୍ସ୍ ଆଦି ସଠିକ୍ ଭାବେ ନିୟୋଜିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଟେଷ୍ଟିଂ, ଟ୍ରାକିଂ ପାଇଁ ସମୁଦାୟ ବ୍ୟବସ୍ଥାକୁ ପୂର୍ଣ୍ଣ କର୍ମକ୍ଷମ ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ସମସ୍ତ ଘରୋଇ ହସ୍ପିଟାଲ୍, ସରକାରୀ ଓ ବେସରକାରୀ ନିଗମ ଏବଂ ପୌରାଞ୍ଚଳ ମାନଙ୍କ ମଧ୍ୟରେ ସମନ୍ୱିତ କାର୍ୟ୍ୟକ୍ରମ ପାଇଁ ଆବଶ୍ୟକୀୟ ସଦ୍ୟତନ ଗାଇଡଲଇନ୍ ପଠାଇବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଲୋଚନାରେ ସମ୍, କିମ୍ସ୍, ହାଇଟେକ୍, ଆଦିତ୍ୟ-ଅଶ୍ୱନୀ ଆଦି ବଡ଼ ବଡ଼ ହସ୍ପିଟାଲର ବରିଷ୍ଠ ପ୍ରତିନିଧିମାନେ ଯୋଗଦେଇଛନ୍ତି । ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ କେଉଁକେଉଁ ସ୍ଥାନରେ ସେମାନେ ତୁରନ୍ତ ହସ୍ପିଟାଲ୍ କାର୍ୟ୍ୟକ୍ଷମ କରାଯାଇପାରିବ ତାହା ମଧ୍ୟ ଜଣାଇଛନ୍ତି ।
ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଅନୁଗୁଳ, ତାଳଚେର, ପୁରୀ, ଗଞ୍ଜାମ, ସମ୍ବଲପୁର, ଯାଜପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ବାରିପଦା, ବଲାଙ୍ଗୀର, କନ୍ଧମାଳ, ରାଉରକେଲା, ଗଜପତି ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ କାର୍ୟ୍ୟ କରିବ । ଏହା ଛଡ଼ା ସମସ୍ତ ସରକାରୀ ହସ୍ପିଟାଲରେ କୋଭିଡ୍ ଚିକିତ୍ସାର ବ୍ୟବସ୍ଥା ରହିବ । ଆକ୍ରାନ୍ତ ମାନଙ୍କୁ ସରକାରୀ ଖର୍ଚ୍ଚରେ ପରୀକ୍ଷା, ଆମ୍ବୁଲାନ୍ସ୍ ସେବା ଓ ଚିକିତ୍ସା ଆଦି ଯୋଗାଇ ଦିଆଯିବ । ଏଥିପାଇଁ ରୋଗୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ଜଣାଇଛନ୍ତି ଯେ, କୋଭିଡ୍ ୨ୟ ଲହରରେ ସମୁଦାୟ ୫୫ଟି ସ୍ୱତନ୍ତ୍ର କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର କାର୍ୟ୍ୟ କରୁଥିଲା । ତା’ଛଡ଼ା ସରକାରୀ ହସ୍ପିଟାଲମାନଙ୍କରେ କୋଭିଡ଼୍ ଚିକିତ୍ସାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ୨ୟ ଲହର ସମୟରେ ଅସ୍ଥାୟୀ ମେଡିକାଲ୍ କେନ୍ଦ୍ର, କୋଭିଡ୍ କେୟାର କେନ୍ଦ୍ର, ସ୍ୱତନ୍ତ୍ର କୋଭିଡ଼୍ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସ୍ୱତନ୍ତ୍ର କୋଭିଡ଼୍ ହସ୍ପିଟାଲ ଆଦିରେ ପ୍ରାୟ ୯୪,୦୦୦ ବେଡ୍ ପ୍ରସ୍ତୁତ କରାଯାଇଥିଲା । ଆଇ.ସି.ୟୁ. ଏବଂ ଏଚ୍.ଡି.ୟୁ. ମାନଙ୍କରେ ପ୍ରାୟ ୩୫୦୦ ବେଡ୍ ପ୍ରସ୍ତୁତ କରାଯାଇଥିଲା । ଏବଂ ୧୧୦୨ ଟି ଭେଣ୍ଟିଲେଟର କାର୍ୟ୍ୟକ୍ଷମ କରାଯାଇଥିଲା ।
ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ପବ୍ଲିକ୍ ହେଲଥ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ । ବିଭିନ୍ନ ପୌର ପରିଷଦର କମିଶନର ଓ ଜିଲ୍ଲାପାଳମାନେ ବାସ୍ତବ ସ୍ଥିତି ଏବଂ କୋଭିଡ୍ ପ୍ରସ୍ତୁତି ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଜଣାଇଛନ୍ତି ।
Powered by Froala Editor